
ଓଡ଼ିଶା ରାଜ୍ୟସଭା ଦୌଡ଼ରେ ଡଃ ପବିତ୍ର ମୋହନ ସାମନ୍ତରାୟ: ଚତୁର୍ଥ ଆସନ ପାଇଁ ଜମିବ ଲଢେଇ
ନୂଆଦିଲ୍ଲୀ / ଭୁବନେଶ୍ୱର:ଆସନ୍ତା ଏପ୍ରିଲ ୨ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ଏବେଠାରୁ ସରଗରମ ହୋଇଉଠିଛି। ରାଜ୍ୟରୁ ୪ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଅଙ୍କକଷା ଆରମ୍ଭ ହୋଇଯାଇଛି।ବର୍ତ୍ତମାନ ଓଡ଼ିଶାରୁ ରାଜ୍ୟସଭାରେ ବିଜେଡିର ୭ ଜଣ ଓ ବିଜେପିର ୩ ଜଣ ସାଂସଦ ଅଛନ୍ତି। ଆସନ୍ତା ଏପ୍ରିଲ ୨ରେ ବିଜେପି ସାଂସଦ ସୁଜିତ କୁମାର ଓ ମମତା ମହାନ୍ତ ଏବଂ ବିଜେଡି ସାଂସଦ ମୁଜିବୁଲ୍ଲା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ବିଧାନସଭାର ବର୍ତ୍ତମାନର ସଂଖ୍ୟା ଗଣିତ ଅନୁଯାୟୀ, ଖାଲି ହେଉଥିବା ୪ଟି ଆସନ ମଧ୍ୟରୁ ବିଜେପି ୨ଟି ଓ ବିଜେଡି ଗୋଟିଏ ଆସନ ସହଜରେ ଜିତିବା ନିଶ୍ଚିତ। କିନ୍ତୁ ଚତୁର୍ଥ ଆସନ ପାଇଁ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି।ନିର୍ବାଚନୀ ଗଣିତ ଓ ଚତୁର୍ଥ ଆସନ:ରାଜ୍ୟସଭା ନିର୍ବାଚନ ନିୟମ ଅନୁସାରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ଅତିକମରେ ୩୦ ଖଣ୍ଡ ଭୋଟ୍ ଆବଶ୍ୟକ। ବର୍ତ୍ତମାନ ବିଜେପି ପାଖରେ ୭୯ ବିଧାୟକ ଓ ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବାବେଳେ, ବିଜେଡିର ସଦସ୍ୟ ସଂଖ୍ୟା ୪୮ରେ ସୀମିତ ରହିଛି। ସେହିପରି କଂଗ୍ରେସ ପାଖରେ ୧୪ ଓ ସିପିଆଇ(ଏମ) ପାଖରେ ଜଣେ ବିଧାୟକ ଅଛନ୍ତି।ତିନୋଟି ଆସନ ପୂରଣ ହେବା ପରେ ବିଜେପି ପାଖରେ ୨୨ଟି ଓ ବିଜେଡି ପାଖରେ ୧୮ଟି ବଳକା ଭୋଟ ରହିବ। ଚତୁର୍ଥ ଆସନ ହାତେଇବା ପାଇଁ ବିଜେପିକୁ ଆଉ ୮ଟି ଓ ବିଜେଡିକୁ ଆଉ ୧୨ଟି ଅତିରିକ୍ତ ଭୋଟର ଆବଶ୍ୟକତା ପଡିବ। ଏହି ପରିପ୍ରେକ୍ଷୀରେ ୧୫ ଭୋଟ୍ (ସିପିଆଇ-ଏମ ସହ) ଥିବା କଂଗ୍ରେସ ଦଳ ‘କିଙ୍ଗମେକର’ ଭୂମିକା ଗ୍ରହଣ କରିପାରେ।ଚର୍ଚ୍ଚାରେ ଡଃ ପବିତ୍ର ମୋହନ ସାମନ୍ତରାୟ:ଏହି ଜଟିଳ ରାଜନୈତିକ ସମୀକରଣ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ଡଃ ପବିତ୍ର ମୋହନ ସାମନ୍ତରାୟଙ୍କ ନାମ ରାଜନୈତିକ ଓ ଗଣମାଧ୍ୟମ ମହଲରେ ବେଶ୍ ଚର୍ଚ୍ଚାକୁ ଆସିଛି।ଡଃ ସାମନ୍ତରାୟ ଓଡ଼ିଆ ଦୈନିକ ଖବରକାଗଜ ‘ପର୍ଯ୍ୟବେକ୍ଷକ’ (Paryabekhyak) ଏବଂ ଇଂରାଜୀ ଦୈନିକ ‘ଦି କଳିଙ୍ଗ କ୍ରୋନିକଲ୍’ (The Kalinga Chronicle)ର ମୁଖ୍ୟ ସମ୍ପାଦକ ଅଟନ୍ତି। ଏହା ସହିତ ସେ ରାଷ୍ଟ୍ରୀୟ ପତ୍ରକାର ମହାସଂଘ (RPM), ନ୍ୟାସନାଲ ମିଡିଆ କନଫେଡେରେସନ୍ (NMC) ଏବଂ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ (IFSMN)ର ଜାତୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।ସାମ୍ବାଦିକ କଲ୍ୟାଣ ଓ ସମାଜସେବା:ଜଣେ ଜାତୀୟ ଗଣମାଧ୍ୟମ ନେତା ଭାବରେ ଡଃ ସାମନ୍ତରାୟ ଦୀର୍ଘ ଦିନ ଧରି ସାମ୍ବାଦିକମାନଙ୍କ ହକ୍, ସୁରକ୍ଷା ଓ କଲ୍ୟାଣ ପାଇଁ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ତାଙ୍କର ନିରନ୍ତର ପ୍ରୟାସ ଯୋଗୁଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିଛି ଏବଂ ଗଣମାଧ୍ୟମ କ୍ଷେତ୍ରରେ ଅନେକ ନୀତିଗତ ସଂସ୍କାର ପାଇଁ ବାଟ ଫିଟିଛି।କେବଳ ସାମ୍ବାଦିକତା ନୁହେଁ, ବୈଦିକ ଜ୍ଞାନର ପ୍ରଚାର ପ୍ରସାର କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ସେ ‘ବୈଦିକ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ’ ଏବଂ ‘ମହର୍ଷି ଇଣ୍ଟରନ୍ୟାସନାଲ ଜ୍ଞାନ ଫାଉଣ୍ଡେସନ’ର ଅଧ୍ୟକ୍ଷ ରହିଛନ୍ତି। ବିଗତ ଚାରି ଦଶନ୍ଧି ଧରି ସେ ଭାରତୀୟ ପରମ୍ପରା, ଯୋଗ ଓ ଧ୍ୟାନର ପ୍ରଚାର ପାଇଁ ଅନେକ ଶିକ୍ଷାନୁଷ୍ଠାନ ଓ ଯୋଗ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଡଃ ସାମନ୍ତରାୟ ୨୦୦୯ ମସିହାରେ ବଡଚଣା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଯଦିଓ ଚଳିତ ରାଜ୍ୟସଭା ନିର୍ବାଚନ ପାଇଁ କୌଣସି ଦଳ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ, ତଥାପି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ତାଙ୍କ ପ୍ରାର୍ଥୀତ୍ୱ ଏକପ୍ରକାର ଚୂଡାନ୍ତ ହୋଇସାରିଛି।ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଶେଷକରି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଦିନରେ କି ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ରାଜ୍ୟ ରାଜନୀତିର ଭବିଷ୍ୟତ ନିର୍ଭର କରୁଛି।
