


କୋରାପୁଟ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ: ୫୭୮ ଜଣଙ୍କୁ ମିଳିଲା କର୍ମସଂସ୍ଥାନ
ଟାଟା ଇଲେକ୍ଟ୍ରୋନିକ୍ସ ଓ ଭାଇବ୍ରେଣ୍ଟ ଇନଫୋଟେକ ଭଳି ପ୍ରତିଷ୍ଠିତ ସଂସ୍ଥାରେ ନିଯୁକ୍ତି ପାଇଲେ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀ
କୋରାପୁଟ: ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଳ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ‘ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା – ୨୦୨୬’ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଜିଲ୍ଲାର ୧୩୩୭ ଜଣ ଆଶାୟୀ ପ୍ରାର୍ଥୀ ପଞ୍ଜିକରଣ କରିଥିବା ବେଳେ ୩୬ ଜଣ ନିଯୁକ୍ତିଦାତା ଓ ୧୦ ଜଣ ପ୍ରଶିକ୍ଷଣ ସଂସ୍ଥା ଅଂଶଗ୍ରହଣ କରିଥିଲେ। ଦିନ ଶେଷ ସୁଦ୍ଧା ୫୭୮ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ବେଳେ ୩୬୭ ଜଣ ପ୍ରଶିକ୍ଷଣ ପାଇଁ ନାମ ପଞ୍ଜିକରଣ କରିଛନ୍ତି।ମୁଖ୍ୟ ଅତିଥିଙ୍କ ଅଭିଭାଷଣ:କାର୍ଯ୍ୟକ୍ରମର ଶୁଭାରମ୍ଭରେ ଲକ୍ଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା ଏବଂ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ସରକାରଙ୍କ ଦକ୍ଷତା ବିକାଶ ଯୋଜନାର ସୁଫଳ ନେଇ ଯୁବପିଢ଼ି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସେମାନେ ଆହ୍ୱାନ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଏବଂ ଆର୍ମି ନିଯୁକ୍ତି କାର୍ଯ୍ୟାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ଗଗନଦୀପ ସିଂହ ମଧ୍ୟ ଯୋଗଦେଇ ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ।ସଫଳତା ଓ ନିଯୁକ୍ତି:ନାନୋ ୟୁନିକର୍ଣ୍ଣ: ସଫଳ ଯୁବ ଉଦ୍ୟୋଗୀ ବିଜୟଲକ୍ଷ୍ମୀ ଜେନା ଓ ବାବୁଲା ଖିଲୋଙ୍କୁ ପ୍ରଶଂସା ପତ୍ର ଦିଆଯାଇଥିଲା।ଆକର୍ଷଣୀୟ ନିଯୁକ୍ତି: ନାରାୟଣପାଟଣାର ରାଗିଣୀ ଭାଣ୍ଡି ଓ ନନ୍ଦିନୀ ଲୁହାଙ୍କୁ ‘ଭାଇବ୍ରେଣ୍ଟ ଇନଫୋଟେକ’ରେ ସଫ୍ଟୱେୟାର ଡେଭଲପର ଭାବେ ନିଯୁକ୍ତି ମିଳିଛି। ସେହିପରି ପୂଜା ଚୌଧୁରୀ, ବର୍ଷା ରାନୀ ପ୍ରଧାନ ଏବଂ କ୍ରିଷ୍ଣା ଗୌଡ଼ ‘ଟାଟା ଇଲେକ୍ଟ୍ରୋନିକ୍ସ’ରେ ମାସିକ ୧୯,୦୦୦ ଟଙ୍କା ଦରମାରେ ନିଯୁକ୍ତି ପାଇଛନ୍ତି। ‘KPR ମିଲ୍ସ’ ପକ୍ଷରୁ ୫ ଜଣଙ୍କୁ ଅଫର ଲେଟର ପ୍ରଦାନ କରାଯାଇଛି।ଉଦ୍ଯାପନୀ:ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ଶୁଭେନ୍ଦୁ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ। ଅବିନାଶ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ସତ୍ୟ ନାରାୟଣ ମିଶ୍ର, ଯୁଗଳ କିଶୋର, ନନ୍ଦିନୀ ପ୍ରଭା ଭୋଇ, ପ୍ରଣତି କର ଏବଂ ପିରାମଲ୍ ଫାଉଣ୍ଡେସନର କର୍ମଚାରୀଙ୍କ ସହଯୋଗରେ ଅପରାହ୍ନ ୩ଟାରେ ମେଳା ଉଦ୍ଯାପିତ ହୋଇଥିଲା।

