ବାଇକ୍-ଜେସିବି ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଗୁରୁତର; ଉତ୍ତ୍ୟକ୍ତ ଲୋକଙ୍କ ଜେସିବିରେ ନିଆଁ ଓ ରାସ୍ତାରୋକ

ବାଇକ୍-ଜେସିବି ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଗୁରୁତର; ଉତ୍ତ୍ୟକ୍ତ ଲୋକଙ୍କ ଜେସିବିରେ ନିଆଁ ଓ ରାସ୍ତାରୋକ
ବୋରିଗୁମ୍ମା (ନିଜସ୍ୱ ପ୍ରତିନିଧି): ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାଲାଣଗୁଡାଠାରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ବାଇକ ଓ ଜେସିବି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ କହ୍ନେଇଜିବା ଗ୍ରାମର ପର୍ଶୁରାମ ଗାଦବା (୨୩) ଏବଂ ଗୁରୁତର ବ୍ୟକ୍ତି ଜଣକ ହେଲେ ତୁଳାରାମ ଗାଦବା (୨୨)।
ଦୁର୍ଘଟଣାର ବିବରଣୀ
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପର୍ଶୁରାମ ଓ ତୁଳାରାମ ନବରଙ୍ଗପୁରରୁ ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟି ନିଜ ଗ୍ରାମକୁ ଫେରୁଥିଲେ। ଚାଲାଣଗୁଡା ନିକଟରେ ସେମାନଙ୍କ ବାଇକ ଏକ ଜେସିବି ସହ ଶକ୍ତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଦୁହେଁ ବାଇକରୁ ଛିଟିକି ପଡ଼ିଥିଲେ। ପର୍ଶୁରାମଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ଗୁରୁତର ତୁଳାରାମଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି।
ଉତ୍ତେଜନା ଓ ଜାତୀୟ ରାଜପଥ ଅବରୋଧ
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଜେସିବିରେ ନିଆଁ ଲଗାଇ ଦେବା ସହ ନବରଙ୍ଗପୁର-ବୋରିଗୁମ୍ମାକୁ ସଂଯୋଗ କରୁଥିବା ୬୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସନ୍ଧ୍ୟା ୭ଟାରୁ ବିଳମ୍ବିତ ରାତି ୨ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ ଚାଲିଥିଲା, ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହି ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ପୋଲିସର ବୁଝାସୁଝା ପରେ ଆନ୍ଦୋଳନକାରୀମାନେ ରାସ୍ତାରୁ ହଟିଥିଲେ।
ପୋଲିସର କାର୍ଯ୍ୟାନୁଷ୍ଠାନ
ସୋମବାର ସକାଳୁ ମୃତ ପର୍ଶୁରାମଙ୍କ ମାମୁଁ ନୀଳକଣ୍ଠ ଗାଦବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବୋରିଗୁମ୍ମା ଥାନାରେ କେସ ନମ୍ବର ୩୬/ ୧୬.୦୨.୨୬ରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇଥିବା ଆଇଆଇସି ରାମାନନ୍ଦ ସାହୁ ସୂଚନା ଦେଇଛନ୍ତି। ତଦନ୍ତକାରୀ ଅଧିକାରୀ ଏଏସଆଇ ସୁଶାନ୍ତ କୁମାର ବେହେରା ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ଅନ୍ୟପକ୍ଷରେ, ଜାତୀୟ ରାଜପଥ ଅବରୋଧ କରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏଏସଆଇ ଚନ୍ଦନ ପ୍ରସାଦ ମାଝୀଙ୍କ ଅଭିଯୋଗ କ୍ରମେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *