କୋଷାଗୁମୁଡ଼ାରେ ବେଆଇନ ବାଲି ଚୋରା ଚାଲାଣ: ମାଲେମାଲ ମାଫିଆ, ନିଦାବିଷ୍ଣୁ ସାଜିଛି ପ୍ରଶାସନ

କୋଷାଗୁମୁଡ଼ାରେ ବେଆଇନ ବାଲି ଚୋରା ଚାଲାଣ: ମାଲେମାଲ ମାଫିଆ, ନିଦାବିଷ୍ଣୁ ସାଜିଛି ପ୍ରଶାସନ


କୋଷାଗୁମୁଡ଼ା (ନବରଙ୍ଗପୁର), ୨୧/୦୨ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଚରମ ସୀମାରେ ପହଞ୍ଚିଛି। ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀରୁ ଦିନଦ୍ୱିପ୍ରହରରେ ବେଆଇନ ଭାବେ ବାଲି ଲୁଟ୍ ଚାଲିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ରାଜସ୍ୱ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ସରକାରୀ ନିୟମକୁ ଫୁ’ କରି ମାଫିଆମାନେ କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ୍ କରୁଛନ୍ତି।
ନିୟମ ଉଲ୍ଲଂଘନ କରି ଚାଲିଛି ଜେସିବି
ରାଜ୍ୟ ରାଜସ୍ୱ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ରହିଛି କି, ବାଲି ସୌରତରେ କେବଳ ଶ୍ରମିକମାନଙ୍କ ଦ୍ୱାରା ବାଲି ଉଠାଣ କରାଯିବ। କିନ୍ତୁ କୋଷାଗୁମୁଡ଼ାର ଲିଜ୍ ଧାରୀମାନେ ଶ୍ରମିକଙ୍କ ବଦଳରେ ବେଧଡ଼କ ଭାବେ ଜେସିବି (JCB) ମେସିନ ଲଗାଇ ବାଲି ଖୋଳୁଛନ୍ତି। ଏହାଦ୍ୱାରା ନଦୀର ପରିବେଶ ନଷ୍ଟ ହେବା ସହ ଶ୍ରମିକମାନେ ଜୀବିକା ହରାଉଛନ୍ତି।
ସନ୍ତୋଷପୁର ଘାଟରେ ଚୋରା କାରବାରର ପେଣ୍ଠସ୍ଥଳ
ବିଶେଷ କରି ସନ୍ତୋଷପୁର ଗ୍ରାମ ନିକଟସ୍ଥ ଭାସ୍କେଲ ନଦୀ ଘାଟରୁ ପ୍ରତିଦିନ ସକାଳ ୬ଟାରୁ ୯ଟା ମଧ୍ୟରେ ଧାଡ଼ି ଧାଡ଼ି ଟ୍ରାକ୍ଟରରେ ବାଲି ଚୋରା ଚାଲାଣ ହେଉଛି। ଟେଣ୍ଡର ହୋଇନଥିବା ଘାଟରୁ କିଛି ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ବାଲି ଚୋରି କରି ମାଲେମାଲ ହେଉଛନ୍ତି। ଖରା ଦିନେ ନଦୀରେ ପାଣି କମ୍ ଥିବାର ସୁଯୋଗ ନେଇ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ଗଛିତ କରି ରଖାଯାଉଛି।
ପ୍ରଶାସନର ଭୂମିକା ସନ୍ଦେହଘେରରେ
ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଅଭିଯୋଗ ଅନୁଯାୟୀ:
ଗୋଟିଏ ରୟାଲଟିରେ ଏକାଧିକ ଗାଡ଼ି: ଗୋଟିଏ ରୟାଲଟି ରସିଦ୍ କଟାଯାଇ ଅନେକ ଥର ବାଲି ଚାଲାଣ କରାଯାଉଛି।
ଲିଜ୍ ପରିସର ବାହାରୁ ଖନନ: ଲିଜ୍ ଧାରୀମାନେ ନିର୍ଦ୍ଧାରିତ ସୀମା ବାହାରୁ ମନଇଚ୍ଛା ବାଲି ଉଠାଉଛନ୍ତି।
ନାମକୁ ମାତ୍ର କାର୍ଯ୍ୟାନୁଷ୍ଠାନ: ଅଭିଯୋଗ ହେଲେ ମାଇନିଂ ବା ରାଜସ୍ୱ ବିଭାଗ କେବଳ ସାମାନ୍ୟ ଜରିମାନା ଆଦାୟ କରି ଚୁପ୍ ରହିଯାଉଛି, ଯାହା ମାଫିଆଙ୍କୁ ଅଧିକ ସାହସ ଯୋଗାଉଛି।
“ପ୍ରଶାସନ ସବୁ ଜାଣି ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହା ସରକାରୀ ସମ୍ପତ୍ତିର ଖୋଲାଖୋଲି ଲୁଟ୍,” ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।
ଅବିଳମ୍ବେ ଜିଲ୍ଲା ପ୍ରଶାସନ ଏହି ବେଆଇନ କାରବାର ଉପରେ ରୋକ ଲଗାଇବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋଷାଗୁମୁଡ଼ା ବ୍ଲକବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *