ଉମରକୋଟରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ: ‘ସଚେତନତାରୁ ସୁରକ୍ଷା’ ବାର୍ତ୍ତା ନେଇ ବାହାରିଲା ସଚେତନତା ଶୋଭାଯାତ୍ରା

ଉମରକୋଟରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ: ‘ସଚେତନତାରୁ ସୁରକ୍ଷା’ ବାର୍ତ୍ତା ନେଇ ବାହାରିଲା ସଚେତନତା ଶୋଭାଯାତ୍ରା
ଉମରକୋଟ : ସଡ଼କ ଦୁର୍ଘଟଣା ରୋକିବା ଓ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉମରକୋଟ ଠାରେ ‘ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୬’ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା ସଡ଼କ ସୁରକ୍ଷା ସମିତି ଏବଂ ଗୁରୁକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଉମରକୋଟ ଭାରପ୍ରାପ୍ତ ଥାନା ଅଧିକାରୀ ରମାକାନ୍ତ ସାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ଅବସରରେ “ସଚେତନତାରୁ ସୁରକ୍ଷା” ଏବଂ “ପ୍ରଯୁକ୍ତିରୁ ପରିବର୍ତ୍ତନ” ବାର୍ତ୍ତାକୁ ଆଧାର କରି ଯାନବାହନ ଚାଳନା ସମୟରେ ହେଲମେଟ ଓ ସିଟ୍‌ବେଲ୍ଟ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଗତିସୀମା ନିୟନ୍ତ୍ରଣ କରିବା ଏବଂ ଟ୍ରାଫିକ ନିୟମ ଅନୁସରଣ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଥିଲା।
ଏହି ସଚେତନତା ଅଭିଯାନରେ ଆର.ଟି.ଓ (RTO) ଜିତେନ୍ଦ୍ର କୁମାର ଭୋଇ, ଉପ-ବିଭାଗୀୟ ଆରକ୍ଷୀ ଅଧିକାରୀ ସଞ୍ଜୟ ମଣ୍ଡଳ, ଟ୍ରାଫିକ ସବ୍‌-ଇନ୍ସପେକ୍ଟର ଅବିନାଶ ବଳ ପ୍ରମୁଖ ସାମିଲ ହୋଇ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁରୁକୃପା ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ସଚିନ ଦାସ, ଜନସମ୍ପର୍କ ଅଧିକାରୀ ଇଂ. ଚନ୍ଦନା ମଲ୍ଲିକ, ଅଧ୍ୟକ୍ଷ ସୁଧାଂଶୁ ଶେଖର ଟହଲଙ୍କ ସମେତ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପରିବହନ ବିଭାଗର କର୍ମଚାରୀ ଓ ବହୁ ସଂଖ୍ୟାରେ ଗାଡ଼ି ଚାଳକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *