ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ୨ ମୃତ, ୫ ଗୁରୁତର

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ୨ ମୃତ, ୫ ଗୁରୁତର

କୋରାପୁଟ/ପଟ୍ଟାଙ୍ଗି, ୦୨/୦୯ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି–ଅମ୍ପାବାଲି ରାସ୍ତାର ପେଟୁରୁ ଛକ ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଭୟାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ସାଲୁର ମଣ୍ଡଳ ଅନ୍ତର୍ଗତ ବାରିଗାଁର ସେଡା ଆପାନା ନିଜ ବାଇକ୍‌ (ନମ୍ବର AP 39 DS 5601) ଯୋଗେ ସ୍ତ୍ରୀ ସେଡା ଅନିତା, ୫ ବର୍ଷର ଝିଅ ଓ ୨ ବର୍ଷର ପୁଅଙ୍କୁ ନେଇ ଅମ୍ପାବାଲି ଗ୍ରାମପଞ୍ଚାୟତର ଗୁମୁଡୁପାଡୁ ଗ୍ରାମକୁ ଯାଉଥିଲେ। ସେହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ରେ ଚିନ୍ତା ଏକୁବୁ, ସଙ୍କେଲି କୃପା ଓ ମୁଷୁରୀ ସିନାୟ ଆସୁଥିଲେ।
ପେଟୁରୁ ଛକ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ୍‌ର ଆରୋହୀମାନେ ଭୟଙ୍କର ଭାବେ ଛିଟିକି ପଡ଼ିଥିଲେ। ଫଳରେ ସେଡା ଅନିତା ଓ ଅନ୍ୟ ବାଇକ୍‌ର ଆରୋହୀ ଚିନ୍ତା ଏକୁବୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।
ଅନ୍ୟପଟେ ସେଡା ଆପାନା, ତାଙ୍କ ୨ ଶିଶୁ ସନ୍ତାନ ସହ ସଙ୍କେଲି କୃପା ଓ ମୁଷୁରୀ ସିନାୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ପ୍ରଥମେ ପଟ୍ଟାଙ୍ଗି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ଖବର ପାଇ ସୁଙ୍କି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *