ସାକ୍ଷ୍ୟ ପ୍ରମାଣ ଅଭାବରୁ ଗଞ୍ଜେଇ ଚାଲାଣ ମାମଲାରେ ୨ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ସାକ୍ଷ୍ୟ ପ୍ରମାଣ ଅଭାବରୁ ଗଞ୍ଜେଇ ଚାଲାଣ ମାମଲାରେ ୨ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ନବରଙ୍ଗପୁର: (ଶେଖର ଖୁରା)ଗଞ୍ଜେଇ ଚାଲାଣ ଭଳି ଏକ ଗୁରୁତର ମାମଲାର ଶୁଣାଣି କରି ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ମାନ୍ୟବର ବିଚାରପତି ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସାକ୍ଷ୍ୟ ପ୍ରମାଣର ଅଭାବ ଯୋଗୁଁ ଅଭିଯୁକ୍ତ ଉର୍ଦ୍ଧବ ଖିଲ ଏବଂ ନର୍ମଦା ଦାଶଙ୍କୁ ମାନ୍ୟବର କୋର୍ଟ ନିର୍ଦୋଷରେ ଖଲାସ କରିଛନ୍ତି।ଘଟଣାର ପୃଷ୍ଠଭୂମି:ପୋଲିସ ସୂଚନା ଅନୁଯାୟୀ, ଗତ ୨୭/୦୪/୨୦୨୧ ରିଖରେ କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରୁ କଳାହାଣ୍ଡି ଜିଲ୍ଲା ଆମପାଣିକୁ ଏକ ଧଳା ରଙ୍ଗର ହୁଣ୍ଡାଇ ସାନଟ୍ରୋ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପାପଡାହାଣ୍ଡି ପୋଲିସ ଖବର ପାଇଥିଲା। ପୋଲିସ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଚାଳକ ଗାଡ଼ି ନରଖି କ୍ଷିପ୍ର ବେଗରେ ପଳାଇବାକୁ ଚେଷ୍ଟା କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଗାଡ଼ିର ପିଛା କରି ମୈଦଲପୁର ଫାଣ୍ଡି ନିକଟରେ କାର୍‌ଟିକୁ କାବୁ କରିଥିଲା।ଜବତ ଓ ଗିରଫଦାରୀ:ସେହି ସମୟରେ କାର୍‌ରୁ ୨୫ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ଦର୍ଶାଯାଇଥିଲା। ଏହି ଘଟଣାରେ ପାପଡାହାଣ୍ଡି ପୋଲିସ ଉର୍ଦ୍ଧବ ଖିଲ ଓ ନର୍ମଦା ଦାଶଙ୍କ ନାମରେ କେସ୍ ନମ୍ବର ୫୯/୨୦୨୧ ଏବଂ NDPS ଆଇନର ଦଫା ୨୦ (b) (ii) ଅନୁଯାୟୀ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଏହି ମାମଲାଟି ଅଦାଲତରେ TR-33/21 ଭାବେ ବିଚାରାଧୀନ ଥିଲା।ଅଦାଲତଙ୍କ ରାୟ:ଏହି ମାମଲାର ବିଚାରଣା ସମୟରେ ସମୁଦାୟ ୨୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ତେବେ ଉଭୟ ପକ୍ଷର ଯୁକ୍ତି ଓ ଉପଲବ୍ଧ ସାକ୍ଷ୍ୟ ପ୍ରମାଣକୁ ପୁଙ୍ଖାନୁପୁଙ୍ଖ ବିଚାର କରିବା ପରେ, ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ଼ ପ୍ରମାଣ ମିଳିପାରି ନଥିଲା। ଫଳ ସ୍ୱରୂପ ମାନ୍ୟବର ବିଚାରପତି ଶ୍ରୀ ମିଶ୍ର ଦୁଇ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନରସିଂହ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀମାନେ ମାମଲାଟିକୁ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *