ନିଖୋଜ କ୍ୟାଡେଟ୍ ସାର୍ଥକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ
କମ୍ପାନୀ ବିରୋଧରେ ପ୍ରମାଣ ନଷ୍ଟ ଅଭିଯୋଗ; ଜାହାଜକୁ ଅଟକ ରଖିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି
ବ୍ରହ୍ମପୁର, ୭/୨ (ବ୍ୟୁରୋ):
ସିଙ୍ଗାପୁର ପତାକାଧାରୀ ଜାହାଜ ‘MV EA JERSEY’ରୁ ନିଖୋଜ ଥିବା ଓଡ଼ିଆ କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମାମଲା ଏବେ ଗୁରୁତର ରୂପ ନେଇଛି। ଏହି ସଂବେଦନଶୀଳ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ। ଏନେଇ ସେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଏକ ଜରୁରୀକାଳୀନ ପତ୍ର ଲେଖି ଘଟଣାର ନିରପେକ୍ଷ ତଦନ୍ତ ଓ ସାର୍ଥକଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି।
ସନ୍ଦେହ ଘେରରେ ସିପିଂ କମ୍ପାନୀ
ଗତ ୩ ଫେବୃଆରୀରୁ ସାର୍ଥକ ନିଖୋଜ ଥିବାବେଳେ ଜାହାଜ ପରିଚାଳନା କରୁଥିବା ‘ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣ ସିପ୍ ମ୍ୟାନେଜମେଣ୍ଟ’ର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସାଂସଦ ଡଃ ପାଣିଗ୍ରାହୀ ସାର୍ଥକଙ୍କ ମାତୃ ସ୍ୱରୂପା ରଶ୍ମିତା ସାହୁଙ୍କୁ ଭେଟିବା ପରେ କହିଛନ୍ତି ଯେ, କମ୍ପାନୀ ଦେଉଥିବା ତଥ୍ୟରେ ଅନେକ ତାଳମେଳ ରହୁନାହିଁ। ବିଶେଷ କରି ଜାହାଜର CCTV ଫୁଟେଜ୍ ଏବଂ VDR (ଭଏଜ୍ ଡାଟା ରେକର୍ଡର୍) ତଥ୍ୟ ପ୍ରଦାନ କରିବାକୁ କମ୍ପାନୀ ମନା କରିବା ପ୍ରମାଣ ନଷ୍ଟ କରିବାର ଏକ ସମ୍ଭାବ୍ୟ ପ୍ରୟାସ ବୋଲି ସେ ଅଭିଯୋଗ କରିଛନ୍ତି।
ସାଂସଦଙ୍କ ୩ଟି ମୁଖ୍ୟ ଦାବି:
ସାର୍ଥକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଡଃ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀଙ୍କୁ ୩ଟି ପ୍ରମୁଖ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି:
୧.ଜାହାଜକୁ ଅଟକ: ମରିସସ୍ ଓ ସିଙ୍ଗାପୁର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି MV EA JERSEY କୁ ତୁରନ୍ତ ମରିସସ୍ର ପୋର୍ଟ ଲୁଇସ୍ ବନ୍ଦରରେ ଅଟକ ରଖାଯାଉ।
୨.ପ୍ରମାଣ ସଂରକ୍ଷଣ: ସାର୍ଥକଙ୍କ କ୍ୟାବିନ୍କୁ ସିଲ୍ କରିବା ସହ ନିଖୋଜ ହେବାର ୪୮ ଘଣ୍ଟା ପୂର୍ବର ସମସ୍ତ CCTV ଓ VDR ତଥ୍ୟକୁ ସୁରକ୍ଷିତ ରଖିବାକୁ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିପିଂ (DGS) ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଉ।
୩.ଉଚ୍ଚସ୍ତରୀୟ ତଦନ୍ତ: ସିପିଂ କମ୍ପାନୀର ଅବହେଳା ଓ ବିଭ୍ରାନ୍ତିକର ତଥ୍ୟ ଉପରେ ଏକ ସମୟବଦ୍ଧ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଉ।
ନ୍ୟାୟ ଅପେକ୍ଷାରେ ପରିବାର
ସାର୍ଥକ ନିଜ ମା’ଙ୍କର ଏକମାତ୍ର ସନ୍ତାନ ହୋଇଥିବା ବେଳେ ତାଙ୍କ ନିଖୋଜ ଖବର ପରିବାରକୁ ଭାଙ୍ଗି ଦେଇଛି। ଏହି ଘଟଣାରେ ସର୍ବୋଚ୍ଚ ସ୍ତରୀୟ କୂଟନୈତିକ ହସ୍ତକ୍ଷେପ ହିଁ ସତ୍ୟାସତ୍ୟ ପଦାକୁ ଆଣିପାରିବ ବୋଲି ଡଃ ପାଣିଗ୍ରାହୀ ଗୁରୁତ୍ୱାରୋପ କରିଛନ୍ତି।


