ଡାବୁଗାଁ ପୋଲିସ ପଞ୍ଝାରେ ପୋଲ ସାମଗ୍ରୀ ଚୋର: ଅଟୋ ସହ ଲୁହା ରଡ୍ ଜବତ, ଜଣେ ଗିରଫ
ନବରଙ୍ଗପୁର/ଡାବୁଗାଁ, ୦୯/୦୨ (କ୍ରାନ୍ତି ଇଣ୍ଡିଆ ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ପୋଲିସ ନାଗଯୋଡି ଗ୍ରାମର ଜଣେ ଯୁବକକୁ ଗିରଫ କରିବା ସହ ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ନାଗଯୋଡି ଗ୍ରାମର ଅଭି ପନକା (୩୩)।
ଘଟଣାର ସଂକ୍ଷିପ୍ତ ବିବରଣୀ:
ଡାବୁଗାଁ-ଉମରକୋଟ ୩୯ ନମ୍ବର ରାଜ୍ୟ ରାଜପଥର ଧାମନାଗୁଡା ଓ ଝରିଗୁଡା ଛକ ମଧ୍ୟରେ ଥିବା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସେଠାରେ ରଖାଯାଇଥିବା ଲୁହା ରଡ୍ ଓ ଲୁହା ପ୍ଲେଟ୍ ଗୁଡ଼ିକୁ ଗତ ୭ ତାରିଖ ବିଳମ୍ବିତ ରାତ୍ରିରେ ଅଭି ପନକା ଓ ତାଙ୍କର ଦୁଇ ସହଯୋଗୀ ଚୋରି କରି ନେଇଥିଲେ। ଏ ନେଇ ୮ ତାରିଖ ସନ୍ଧ୍ୟାରେ କଣ୍ଟ୍ରାକ୍ଟରଙ୍କ ସୁପରଭାଇଜର ପ୍ରସନ୍ନ ମେହେର ଥାନାରେ ଏତଲା ଦେଇଥିଲେ।
ବିକ୍ରି ପାଇଁ ନେଉଥିବା ବେଳେ ଧରାପଡ଼ିଲେ:
ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସୋମବାର ସକାଳେ ଅଭିଯୁକ୍ତମାନେ ଏକ ଅଟୋ (ନଂ: OD-24-J-9579) ଯୋଗେ ଚୋରି ସାମଗ୍ରୀ ବିକ୍ରି କରିବାକୁ ନେଉଥିଲେ। ଖବର ପାଇ ପୋଲିସ ଝରିଗୁଡା ଛକ ନିକଟରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଦୁଇଜଣ ଅଭିଯୁକ୍ତ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଅଭି ପନକା ଧରାପଡ଼ିଥିଲେ। ପୋଲିସ ଉକ୍ତ ଅଟୋ ଓ ଚୋରି ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।
ବିଦ୍ୟୁତ୍ ତାର ଚୋରିରେ ବି ଥିଲେ ସମ୍ପୃକ୍ତ:
ଥାନା କେସ୍ ନଂ ୨୮/୨୬ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତଦନ୍ତକାରୀ ଅଧିକାରୀ ତଥା ପ୍ରୋବେଶନରେ ଥିବା ସବ୍-ଇନ୍ସପେକ୍ଟର ଦଣ୍ଡ ଚରଣ ସେଠୀଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ପୂର୍ବରୁ ଡାବୁଗାଁ ନୂଆଗୁଡା ଓ ରାବଣାଗୁଡା ଗ୍ରାମରେ ବିଦ୍ୟୁତ୍ ତାର ଚୋରି ଘଟଣାରେ ମଧ୍ୟ ସମ୍ପୃକ୍ତ ଥିଲେ। ଫେରାର୍ ଥିବା ଅନ୍ୟ ଦୁଇ ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଡାବୁଗାଁ ପୋଲିସ ପଞ୍ଝାରେ ପୋଲ ସାମଗ୍ରୀ ଚୋର: ଅଟୋ ସହ ଲୁହା ରଡ୍ ଜବତ, ଜଣେ ଗିରଫ
