ବଣ୍ଡାଘାଟିରେ ବିକାଶର ସମୀକ୍ଷା କଲେ ଜିଲ୍ଲାପାଳ: ଅନ୍ଦ୍ରାହାଲ ହେବ ଆଦର୍ଶ ଗ୍ରାମ, ଚାଷୀଙ୍କୁ ମିଳିବ ନୂଆ ସୁଯୋଗ

ବଣ୍ଡାଘାଟିରେ ବିକାଶର ସମୀକ୍ଷା କଲେ ଜିଲ୍ଲାପାଳ: ଅନ୍ଦ୍ରାହାଲ ହେବ ଆଦର୍ଶ ଗ୍ରାମ, ଚାଷୀଙ୍କୁ ମିଳିବ ନୂଆ ସୁଯୋଗ


ମାଲକାନଗିରି, ୦୯/୦୨ (କ୍ରାନ୍ତି ଇଣ୍ଡିଆ ନ୍ୟୁଜ):
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଆଜି ବଣ୍ଡାଘାଟି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କରିଛନ୍ତି। ଜନଜାତିଙ୍କ ଆର୍ଥିକ ବିକାଶ ଓ ପର୍ଯ୍ୟଟନର ଉନ୍ନତି ପାଇଁ ବିଭିନ୍ନ ବିଭାଗକୁ ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ଦ୍ରାହାଲ ହେବ ଆଦର୍ଶ ଗ୍ରାମ: ତ୍ୱରାନ୍ୱିତ ହେବ ଆବାସ କାର୍ଯ୍ୟ
ଜିଲ୍ଲାପାଳ ପ୍ରଥମେ ବଡଡୁରାଲ ପଞ୍ଚାୟତର ସୀସାପୁଟ ଗ୍ରାମକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ଜନଜାତି ମିଶନ ଅଧୀନରେ ଚାଲିଥିବା ପରିବା ଚାଷ କ୍ଲଷ୍ଟର ବୁଲି ଦେଖିଥିଲେ। ପରେ ଅନ୍ଦ୍ରାହାଲ ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବାକୁ ଘୋଷଣା କରିଥିଲେ। ସେଠାରେ ‘ପିଏମ୍ ଜନମନ’ ଯୋଜନାରେ ନିର୍ମାଣଧୀନ ୧୭୯ଟି ଗ୍ରାମୀଣ ଆବାସ ଓ ୧୧୫ଟି ଛେଳି ଗୁହାଳ କାର୍ଯ୍ୟକୁ ଫେବୃଆରୀ ମାସ ସୁଦ୍ଧା ଶେଷ କରିବାକୁ ଆଇଟିଡିଏକୁ (ITDA) ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମର ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦେଶୀ ଘୁଷୁରୀ ପାଳନ ବନ୍ଦ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଚାଷୀଙ୍କୁ ମିଳିବ ବଜାର ସୁବିଧା ଓ ପ୍ରୋତ୍ସାହନ
ବଣ୍ଡାପଡ଼ାଠାରେ ଷ୍ଟ୍ରୋବେରୀ ଓ କ୍ୟାପସିକମ୍ ଚାଷର ସଫଳତା ଦେଖି ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ। ଚାଷୀମାନେ କିଭଳି ଅଧିକ ସ୍ୱାବଲମ୍ବୀ ହେବେ, ସେଥିପାଇଁ ସୋଲାର ଲିଫ୍ଟ, ଡ୍ରିପ୍ ଇରିଗେସନ୍ ଓ ଚେକ୍ ଡ୍ୟାମ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ପାଦିତ ସାମଗ୍ରୀକୁ ବଜାରରେ ବିକ୍ରି କରିବା ପାଇଁ ପରିବହନ ସୁବିଧା ଏବଂ ପଣସ ଓ ତେନ୍ତୁଳି ପାଇଁ ମଲ୍ଟି ପ୍ରସେସିଂ ୟୁନିଟ୍ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତି ଘରେ ‘କିଚେନ୍ ଗାର୍ଡେନ୍’ କରିବାକୁ ଉଦ୍ୟାନ କୃଷି ବିଭାଗକୁ କୁହାଯାଇଛି।
ପର୍ଯ୍ୟଟନ ଓ ଭିତ୍ତିଭୂମିର ବିକାଶ
ବଡଡୁରାଲରୁ ଅନ୍ଦ୍ରାହାଲ ରାସ୍ତାରେ ନିର୍ମାଣ ହେଉଥିବା ଭିଉ ପଏଣ୍ଟରେ ଷ୍ଟିଲ୍ ରେଲିଂ ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ମିଳିଛି। ଏଥିସହ ନିର୍ମାଣାଧୀନ ସେତୁ ଓ ରାସ୍ତା କାମ ଯଥାଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି।
ଯୁବକଙ୍କ ସହ ଖେଳିଲେ ଭଲିବଲ୍
ଗସ୍ତ ଶେଷରେ ଜିଲ୍ଲାପାଳ ମୁଦୁଲିପଡ଼ାଠାରେ ସ୍ଥାନୀୟ ଯୁବକମାନଙ୍କ ସହ ଭଲିବଲ୍ ଖେଳି ସେମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡ଼ାର ବିକାଶ ପାଇଁ ଖେଳ ପଡ଼ିଆର ଭିତ୍ତିଭୂମି ସୁଦୃଢ଼ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଗସ୍ତ ସମୟରେ ପିଏ ଆଇଟିଡିଏ, ବିଡିଓ ଖଇରପୁଟ, ବଣ୍ଡା ଉନ୍ନୟନ ସଂସ୍ଥାର କର୍ମକର୍ତ୍ତା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *