
ଜୟପୁର, ୨୯ /୧୦, ଜୟପୁର ଟାଉନ୍ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନର ଅଂଶ ରୂପେ ଟାଉନ ଥାନା ପରିସରରେ ଏକ ବିଶେଷ “ସାଇବର ସେଲ୍ଫି ପଏଣ୍ଟ” ର ଉଦଘାଟନ କରାଯାଇଛି। ଏହି ଅବସରରେ ଜୟପୁର ଏସଡିପିଓ ପାର୍ଥ ଜଗଦୀଶ କଶ୍ୟପ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଏଣ୍ଟର ଉଦଘାଟନ କରି ସାଇବର ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଉପସ୍ଥିତ ଥାଇ ଜନସାଧାରଣଙ୍କୁ ସାଇବର ଠକେଇ ରୁ ସତର୍କ ରହିବା ପାଇଁ ଆହ୍ବାନ କଲେ। ସେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ରଥ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରିଭ୍ରମଣ କରୁଛି ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଜଗାଇ ଆସୁଛି।
କୋରାପୁଟ ଜିଲ୍ଲା ପୋଲିସ ଅଧିକ୍ଷକ ରୋହିତ ବର୍ମାଙ୍କ ନେତୃତ୍ୱରେ ଆସନ୍ତା ୨ ନଭେମ୍ବର (ରବିବାର) ଦିନ କୋରାପୁଟ ଠାରୁ ସାଇବର ସଚେତନତା ରଥ ରବାନା ହୋଇ ଜୟପୁର ସହରର ମୁଖ୍ୟ ଟ୍ରାଫିକ ଛକରେ ପହଞ୍ଚିବ। ସେଠାରେ ଜୟପୁର ଏସଡିପିଓ ପାର୍ଥ ଜଗଦୀଶ କଶ୍ୟପଙ୍କ ଅଧ୍ୟକ୍ଷତାରେ ଟାଉନ୍ ଏବଂ ସଦର ଥାନାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ରଥକୁ ସ୍ବାଗତ କରାଯିବ।
ଏହା ପରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ଏକ ମାରାଥନ୍ ଏବଂ ସଚେତନତା ସଭା ଆୟୋଜନ କରାଯିବ। ସଂଧ୍ୟା ସମୟରେ ଜୟପୁର ରାଜା ନହର ପାଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସାଇବର ସୁରକ୍ଷା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଯିବ।
ଏସଡିପିଓ ପାର୍ଥ ଜଗଦୀଶ କଶ୍ୟପ ସମସ୍ତ ଜୟପୁରବାସୀଙ୍କୁ ଏହି ସଚେତନତା ଅଭିଯାନରେ ଯୋଗଦେଇ ସାଇବର ସୁରକ୍ଷାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଆହ୍ବାନ କରିଛନ୍ତି।
https://www.youtube.com/@AI.KrantiIndiaNews
