ବିଜେଡି ମହିଳା ସଂଗଠନର କଳେବର ବୃଦ୍ଧି: ରାୟଗଡ଼ା ଜିଲ୍ଲାରୁ ୫ ଜଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ବିଜେଡି ମହିଳା ସଂଗଠନର କଳେବର ବୃଦ୍ଧି: ରାୟଗଡ଼ା ଜିଲ୍ଲାରୁ ୫ ଜଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ


ରାୟଗଡ଼ା, (ବ୍ୟୁରୋ):
ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) କୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେପି ଓ କଂଗ୍ରେସକୁ କଡ଼ା ଟକ୍କର ଦେବା ପାଇଁ ଦଳ ପକ୍ଷରୁ ବଡ଼ ଧରଣର ସାଂଗଠନିକ ଅଦଳବଦଳ କରାଯାଇଛି। ଦଳୀୟ ସଂଗଠନକୁ ମୂଳସ୍ତରରୁ ମଜବୁତ କରିବା ଲକ୍ଷ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୫୮ ଜଣ ସାଧାରଣ ସମ୍ପାଦିକା, ସମ୍ପାଦିକା, ବରିଷ୍ଠ ଉପସଭାପତି ଓ ଉପସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲାରୁ ୫ ଜଣ ପ୍ରମୁଖ ମହିଳା ନେତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ପ୍ରଦାନ କରାଯାଇଛି।
କାହାକୁ ମିଳିଲା କେଉଁ ଦାୟିତ୍ୱ:
ନୂତନ ନିଯୁକ୍ତି ଅନୁଯାୟୀ, ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କୁ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ମିଳିଛି। ସେହିପରି ଗୁଣୁପୁର ନିର୍ବାଚନ ମଣ୍ଡଳୀ ପାଇଁ ରଜନୀ ମଣ୍ଡାଙ୍ଗୀଙ୍କୁ ସମ୍ପାଦିକା, ବିଷମକଟକ ନିର୍ବାଚନ ମଣ୍ଡଳୀ ପାଇଁ କୋଳନରା ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଇପିଲି ନଗଲକ୍ଷ୍ମୀଙ୍କୁ ସମ୍ପାଦିକା ଭାବେ ଦାୟିତ୍ୱ ଦିଆଯାଇଛି। ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷା ଶୁଭ୍ରା ପଣ୍ଡା ଓ ସୁଜାତା ମଣ୍ଡାଙ୍ଗୀଙ୍କୁ ରାୟଗଡ଼ା ନିର୍ବାଚନ ମଣ୍ଡଳୀର ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି।
ସଂଗଠନରେ ଦକ୍ଷତା ପ୍ରତିପାଦନ:
ସୂଚନାଯୋଗ୍ୟ ଯେ, ଶୁଭ୍ରା ପଣ୍ଡା ବର୍ତ୍ତମାନ ପୌର ଅଧ୍ୟକ୍ଷା ସହିତ ମହିଳା ଶକ୍ତି ବାହିନୀର ସଭାପତି ଭାବେ ସିଧାସଳଖ ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଅନୁରୂପ ଭାବେ ଇପିଲି ନାଗଲକ୍ଷ୍ମୀ କୋଳନରା ବ୍ଲକ ବିଜେଡି ମହିଳା ସଭାପତି ରହି ସଂଗଠନକୁ ମଜବୁତ କରିବାରେ ପୂର୍ବରୁ ସଫଳ ହୋଇଛନ୍ତି। ଏହି ନୂତନ ନିଯୁକ୍ତି ଦ୍ୱାରା ଜିଲ୍ଲାରେ ଦଳର ମହିଳା ଭୋଟ୍‌ ବ୍ୟାଙ୍କ୍‌ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
ଶୁଭେଚ୍ଛାର ସୁଅ:
ଏହି ନବ ନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସ, ଗୁଣୁପୁରର ପୂର୍ବତନ ବିଧାୟକ ରଘୁନାଥ ଗୋମାଙ୍ଗ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପି. ଗୌରୀ ଶଙ୍କର, ଜିଲ୍ଲା ଉପସଭାପତି ଇପିଲି ଧବଳେଶ୍ୱର ରାଓ, ପୋନ୍ତୁରୁମାନିରାତନମ ଏବଂ ବିନାୟକ ପୋଲାଈ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
ନିଜ ପ୍ରତିକ୍ରିୟାରେ ନବନିଯୁକ୍ତ କର୍ମକର୍ତ୍ତାମାନେ ସଭାପତି ନବୀନ ପଟ୍ଟନାୟକ, ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ସୁଧୀର ଦାସଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଦଳୀୟ ସଂଗଠନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *