ରାଜ୍ୟସଭା ନିର୍ବାଚନ: ବିଜେପିର ବଡ଼ ଚାଲ୍, ୩ ଆସନରେ ଲଢ଼ିବାକୁ ନିଷ୍ପତ୍ତି, କିନ୍ତୁ କିଣିଲା ୪ଟି ଯାକ ଫର୍ମ
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଓଡ଼ିଶାରୁ ଖାଲି ପଡ଼ିଥିବା ୪ଟି ଆସନ ମଧ୍ୟରୁ ଅତିକମରେ ୩ଟି ଆସନରେ ପ୍ରାର୍ଥୀ ଦେବାକୁ ଶାସକ ବିଜେପି ଆଜି ନିଷ୍ପତ୍ତି ନେଇଛି। ଏହାସହ ଆଜି ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଏକ ନୂଆ ମୋଡ଼ ଆସିଛି, ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ଆଲୋଚନା। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଜେପି ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ୧୬ ସେଟ୍ ନାମାଙ୍କନ ଫର୍ମ ସଂଗ୍ରହ କରିଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି ଯେ, ୪ଟି ଆସନ ପାଇଁ ୪ ସେଟ୍ ଲେଖାଏଁ ନାମାଙ୍କନ ଫର୍ମ ନିଆଯାଇଛି। ବିଜେପି ସମସ୍ତ ବିକଳ୍ପ ଖୋଲା ରଖିଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।
ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଧାୟକଙ୍କ ସ୍ୱାକ୍ଷର ନାମାଙ୍କନ ପତ୍ରରେ ନିଆଯାଇଛି। ଆସନ୍ତା ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲ ସମୟରେ ସମସ୍ତ ବିଜେପି ବିଧାୟକଙ୍କୁ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏବେ ବିଜେପି ପାଖରେ ଥିବା ସଂଖ୍ୟା ଗରିଷ୍ଠତା ଅନୁଯାୟୀ, ଦଳ ୨ଟି ଆସନ ସହଜରେ ଜିତିପାରିବ। ବିରୋଧୀ ବିଜେଡି ପାଖରେ ୪୮ ବିଧାୟକ ଥିବାରୁ ଗୋଟିଏ ଆସନ ଜିତିବା ଆଶା କରାଯାଉଛି। କଂଗ୍ରେସର ୧୪ ଜଣ ବିଧାୟକ ଥିବାବେଳେ ସେମାନେ ବିଜେଡି ପ୍ରାର୍ଥୀଙ୍କୁ ଚତୁର୍ଥ ଆସନ ପାଇଁ ସମର୍ଥନ କରିବାର ସମ୍ଭାବନା ଅଛି। କିନ୍ତୁ, ବିଜେପି ୩ଟି ଆସନ ପାଇଁ ପ୍ରାର୍ଥୀ ଦେବା ଏବଂ ୪ଟି ଯାକ ଆସନ ପାଇଁ ଫର୍ମ ସଂଗ୍ରହ କରିବା ଦଳର ଏକ ବଡ଼ ରଣନୀତି ବୋଲି ମନେ କରାଯାଉଛି। ଏହାଦ୍ୱାରା ଦଳ କ୍ରସ-ଭୋଟିଂ, ରଣନୈତିକ ମେଣ୍ଟ ବା ଅନ୍ୟ କୌଣସି ବଡ଼ ରାଜନୈତିକ ହିସାବ କରୁଥିବା ଆଶଙ୍କା କରାଯାଉଛି।
ବୈଠକ ପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଗଣମାଧ୍ୟମକୁ କହିଛନ୍ତି ଯେ, କେନ୍ଦ୍ରୀୟ ପାର୍ଲାମେଣ୍ଟାରୀ ବୋର୍ଡ ଦ୍ୱାରା ପ୍ରାର୍ଥୀ ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ବିଧାୟକମାନଙ୍କ ସ୍ୱାକ୍ଷର ସଂଗ୍ରହ କରାଯାଇଛି। କେବଳ ଚୟନ ହୋଇଥିବା ପ୍ରାର୍ଥୀଙ୍କ ନାମ ନାମାଙ୍କନ ପତ୍ରରେ ପୂରଣ କରାଯିବ।
ସମ୍ଭାବ୍ୟ ବିଜେପି ପ୍ରାର୍ଥୀ ଭାବରେ ମନମୋହନ ସାମଲ, ସମୀର ମହାନ୍ତି, ସୁଜିତ କୁମାର, ମମତା ମହାନ୍ତ ଏବଂ ଦିଲୀପ ରାୟଙ୍କ ନାମ ଚର୍ଚ୍ଚାରେ ରହିଛି। ଦଳର ମୁଖପାତ୍ର ଦିଲୀପ ମହାନ୍ତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି। ଏବେ ସମସ୍ତଙ୍କ ନଜର ବିଜେପିର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଏବଂ ଦଳର ଆକ୍ରମଣାତ୍ମକ ରଣନୀତି ଉପରେ।
