ଭୁବେଶ୍ବର, ୦୨/୧୧, ରାଜ୍ୟର ସମସ୍ତ ପି.ଡ଼ି.ଏସ୍. ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର। ରାସନ କାର୍ଡ଼ଧାରୀଙ୍କ e-KYC କରିବାର ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି।
ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ e-KYC କରିନାହାନ୍ତି, ସେମାନେ ଏବେ ଆସନ୍ତା ଡିସେମ୍ବର ୩୧, ୨୦୨୫ ତାରିଖ ପର୍ଯ୍ୟନ୍ତ ଏହା କରିପାରିବେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ହିତାଧିକାରୀଙ୍କ ଆଧାର ଭିତ୍ତିକ e-KYC ପ୍ରକ୍ରିୟା ଜାରି ରହିଛି।
କେଉଁଠି କରିବେ?: ଏହି ପ୍ରକ୍ରିୟା ରାଜ୍ୟର ସମସ୍ତ ୧୧,୮୨୭ଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ସହିତ ୩୧୪ଟି ବ୍ଲକ ଏବଂ ୬୪ଟି ପୌରାଞ୍ଚଳ କାର୍ଯ୍ୟାଳୟରେ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରଗୁଡ଼ିକରେ କାର୍ଯ୍ୟକାରୀ ହେଉଛି।
କୌଣସି ଅସୁବିଧା ନାହିଁ: ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, e-KYC ହୋଇନଥିବା କାରଣରୁ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଉନାହିଁ। ଯେଉଁମାନେ ଏଯାବତ୍ e-KYC କରିନାହାନ୍ତି, ସେମାନେ ମଧ୍ୟ ପୂର୍ବଭଳି ନିଜର ପି.ଡ଼ି.ଏସ୍. ସାମଗ୍ରୀ ପାଇବା ଜାରି ରଖିବେ।
ପରାମର୍ଶ: ତେବେ, ହିତାଧିକାରୀମାନେ ବର୍ଦ୍ଧିତ ସମୟସୀମା ଅର୍ଥାତ୍ ଡିସେମ୍ବର ୩୧, ୨୦୨୫ ସୁଦ୍ଧା ନିଜର ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ କିମ୍ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ e-KYC କରାଇ ନେବାକୁ ପରାମର୍ଶ ଦିଆଯାଇଛି।
