ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ

କୋରାପୁଟରେ ବିଶାଳ ଏକତା ପଦଯାତ୍ରା

କୋରାପୁଟ,୧୫।୧୧, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ କୋରାପୁଟ ସଦର ମହକୁମାରେ ବିଶାଳ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋରାପୁଟ ବିଧାୟକ ରଘୁରାମ ମାଛ,ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ,ବିଜେପି ଜିଲ୍ଳା ସଂଯୋଜକ ଚୈତନ୍ୟ ହନ୍ତାଲ,ନଗର ବିଜେପି ସଭାପତି ୱାଇ ସତ୍ୟ ନାରାୟଣ,ବିଜେପି ନେତା ତ୍ରିନାଥ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖଙ୍କ ସହରର ବିଭିନ୍ନ କଲେଜ ଓ ବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ରୀ ସହରରେ ଏକତା ପଦଯାତ୍ରା କରିଥିଲେ। କୋରାପୁଟସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।କୋରାପୁଟ ସହରର ବିଭିନ୍ନ ୱାର୍ଡରେ ପ୍ରାୟ ୮କିମି ପରିଭ୍ରମଣ କରିବା ପରେ ପୋଲିସ ପ୍ୟାରେଡ ପଡିଆ ଠାରେ ଶେଷ ହୋଇଥିଲା। ସାରା ଭାରତ ବର୍ଷରେ ଜଣେ ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଗୁଜୁରାଟର ଗୋଟିଏ ସାଧାରଣ ପରିବାରରୁ ଆସିଥିବା ସର୍ଦ୍ଦାର ପଟେଲ ସ୍ୱାଧୀନ ଭାରତର ଜଣେ ମହାନ ଜନନେତା ହୋଇପାରିଥିଲେ।ତାଙ୍କର ଦୃଢ଼ ସଂକଳ୍ପ ବଳରେ ଭାରତରେ ୫୬୫ଟି ସ୍ୱାଧୀନ ଗଡ଼ଜାତ ରାଜ୍ୟ ମିଶିଥିଲେ। ସେଥିପାଇଁ ତାଙ୍କୁ ଏକତାର ପ୍ରତୀକ ବୋଲି କୁହାଯାଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ କୋରାପୁଟରେ ଆୟୋଜିତ ଏକତା ପଦଯାତ୍ରାରେ ହଜାର ହଜାର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ପଦଯାତ୍ରାକୁ ସଫଳ କରିଥିବାରୁ ଜିଲ୍ଳା ବିଜେପି ସଭାପତି ଶିବ ମୁଦୁଲି ଏବଂ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଚୈତନ୍ୟ ହନ୍ତାଲ ଜିଲ୍ଲା ପ୍ରଶାସନ ଓ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *