
ଜୟପୁର, ୧୦/୧୨ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ଆସ ସ୍କୁଲ୍ ଯିବା’ ଅଭିଯାନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଆଜି ତା ୧୦.୧୨.୨୦୨୫ ରିଖ ବୁଧବାର ଦିନ ଜୟପୁର ବ୍ଲକ୍ର ଗମେଣ୍ଟ ୟୁ.ପି.ଏସ୍. କ୍ଲଷ୍ଟରରେ କ୍ଲଷ୍ଟର ସ୍ତରୀୟ ‘ଶିକ୍ଷାସଭା’ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ପୂର୍ବରୁ ବର୍ତ୍ତମାନ ପାଳନ କରାଯାଉଥିବା ଭାରତୀୟ ଭାଷା ଉତ୍ସବର କ୍ଲଷ୍ଟର ସ୍ତରୀୟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ/ଅଭିଭାବିକା ସାମିଲ୍ ହୋଇଥିଲେ।
ପଦଯାତ୍ରା ଓ ସଭା କାର୍ଯ୍ୟକ୍ରମ
ପଦଯାତ୍ରା ପରେ ଗମେଣ୍ଟ ୟୁ.ପି.ଏସ୍. ଠାରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କୁକୁମୀନା ଦାଶଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ମୁଖ୍ୟ ଅତିଥି ଭାବରେ ଜୟପୁର ବ୍ଲକ୍ର ସହକାରୀ ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀ କେ. ଗୋପାଳ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସି.ଆର୍.ସି.ସି. ଶ୍ରୀ ରାମେଶ୍ୱର ପଣ୍ଡା, ଶ୍ରୀ ଜ୍ୟୋତି ଶଙ୍କର ତ୍ରିପାଠୀ, ଶ୍ରୀ ସାଗର ତ୍ରିପାଠୀ, ଶ୍ରୀମତୀ ସଂଯୁକ୍ତା ରାଉତ ଏବଂ ପି.ଆର୍.ଆଇ. ସଦସ୍ୟ ଶ୍ରୀ ଗୋପୀନାଥ ମହାନ୍ତି, ଶ୍ରୀମତୀ ଅର୍ପିତା ଷଡଙ୍ଗୀ, ଶ୍ରୀ ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥିଙ୍କ ସମେତ ସମସ୍ତ ଅତିଥିମାନଙ୍କ କରକମଳରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକୁ ଉଦ୍ଘାଟନ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବକ୍ତବ୍ୟ
ସୁନାରି ସାହି ୟୁ.ପି.ଏସ୍.ର ପିଲାମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଏବଂ ଗମେଣ୍ଟ ୟୁ.ପି.ଏସ୍.ର ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ କେ. ଗୋପାଳ ତାଙ୍କ ବକ୍ତବ୍ୟରେ ଶିକ୍ଷା ପ୍ରତି ସଚେତନ ହେବା ଏବଂ ଅଭିଭାବକମାନେ କିପରି ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ଶିକ୍ଷାଗ୍ରହଣର ମୁଖ୍ୟ ସ୍ରୋତରେ ସାମିଲ୍ କରାଇପାରିବେ, ତାହା ଉପରେ ଗୁରୁତ୍ୱାରୋପ କରିଥିଲେ।
କୋଣ ପରିଦର୍ଶନ ଓ ସମାପନ
ଏହି ଅବସରରେ ଅତିଥି, ଅଭିଭାବକ ଏବଂ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଏବଂ ନିପୁଣ ଓଡ଼ିଶା କୋଣ, ଅନ୍ତର୍ନିବେଶୀ ଶିକ୍ଷା କୋଣ, ନାମ ଲେଖା ଓ ଅବଧାରଣା କୋଣ ଏବଂ କୃତିତ୍ୱ କୋଣ ପରିଦର୍ଶନ କରିଥିଲେ।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆୟୋଜିକା ସି.ଆର୍.ସି.ସି. ଶ୍ରୀମତୀ ବିଜୟଲକ୍ଷ୍ମୀ ସ୍ୱାଇଁ ପରିଚାଳନା କରିଥିଲେ ଏବଂ ସମସ୍ତ ବିଦ୍ୟାଳୟର ପୂର୍ଣ୍ଣ ସହଯୋଗ ଓ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତଙ୍କୁ ଚାହା, ବିସ୍କୁଟ ଏବଂ ଜଳପାନରେ ଆପ୍ୟାୟିତ କରାଯାଇଥିଲା।
