କୁମୁଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ବିକ୍ରମ ଦାସଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ କୁମୂଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଲୋକପ୍ରିୟ ଫାର୍ମାସିଷ୍ଟ ବିକ୍ରମ କୁମାର ଦାସଙ୍କ ବଦଳି ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଶ୍ରୀ ଦାସ ଗତ ୨୨/୦୬/୨୦୧୬ ମସିହାରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଫାର୍ମାସିଷ୍ଟ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୦ ଜୁନ୍ ପହିଲାରେ ତାଙ୍କର କୁମୁଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ବଦଳି ହୋଇଥିଲା। ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିଜର ଚାକିରି କାଳ ମଧ୍ୟରେ ସେ ଜଣେ ମିଷ୍ଟଭାଷୀ, କର୍ମଠ, ସମୟାନୁବର୍ତ୍ତୀ ଏବଂ ମେଳାପୀ ବ୍ୟକ୍ତିତ୍ୱ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ସ୍ବାସ୍ଥ୍ୟ କେନ୍ଦ୍ରଟି ଜିଲ୍ଲା ଓ ରାଜ୍ୟ ସ୍ତରରେ ବହୁବାର ପୁରସ୍କୃତ ଓ ସମ୍ମାନିତ ହୋଇପାରିଛି।
ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ କୁମୂଲୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟଜିତ ପାତ୍ର, ନୀଳକଣ୍ଠ ହୋତା, ଚିନ୍ମୟ ପଣ୍ଡା, ସନ୍ତୋଷ ଷଡ଼ଙ୍ଗୀଙ୍କ ସମେତ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ଦାସଙ୍କୁ ବିଦାୟ ଜଣାଇଥିଲେ। ଶ୍ରୀ ଦାସ ବର୍ତ୍ତମାନ ପଦୋନ୍ନତି ପାଇ ‘ସିନିୟର୍ ଫାର୍ମାସିଷ୍ଟ’ ଭାବେ କଟକ ବଡ଼ ଡାକ୍ତରଖାନା (SCB) କୁ ବଦଳି ହୋଇଛନ୍ତି। ତାଙ୍କର ଏହି ବଦଳି ଖବର ପାଇ କୁମୁଲି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିବା ସହ ତାଙ୍କର ନିଃସ୍ଵାର୍ଥପର ସେବା ମନୋଭାବକୁ ଭୂୟସୀ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *