ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବର୍ତ୍ତମାନ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଅଞ୍ଚଳର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (PHC)ରେ ଏକକାଳୀନ ଫାର୍ମାସିଷ୍ଟ ପଦବୀ ଖାଲି ପଡ଼ିଥିବାରୁ ରୋଗୀ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
ଖାଲିପଡିଛି ୬ଟି କେନ୍ଦ୍ରର ପଦବୀ
ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଛଅ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯଥା- କଠାରଗଡା, କୁମୂଲି, ବି. ସିଂହପୁର, ହର୍ଦୋଳି, ଶଶାହାଣ୍ଡି ଏବଂ ଡେଙ୍ଗପଦରରେ ଫାର୍ମାସିଷ୍ଟ ପଦବୀ ଖାଲି ପଡ଼ିଛି। ମିଳିଥିବା ସୂଚନା ମୁତାବକ, ଏଠାରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟ ପଦୋନ୍ନତି ପାଇ ‘ସିନିଅର୍ ଫାର୍ମାସିଷ୍ଟ’ ଭାବେ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି। ଫଳରେ ଗତ କିଛି ଦିନ ହେବ ଏହି କେନ୍ଦ୍ରଗୁଡ଼ିକ ଫାର୍ମାସିଷ୍ଟ ଶୂନ୍ୟ ହୋଇ ପଡ଼ିରହିଛି।
ଔଷଧ ବଣ୍ଟନ ଓ ଯୋଜନା ରୂପାୟନ ଠପ୍
ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପରେ ଫାର୍ମାସିଷ୍ଟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଔଷଧ ବିତରଣ ନୁହେଁ, ବରଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ସ୍ୱାସ୍ଥ୍ୟ ଯୋଜନାର ସଫଳ ରୂପାୟନରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ବିଶେଷକରି, ଏହି ଫାର୍ମାସିଷ୍ଟମାନଙ୍କ ତତ୍ତ୍ଵାବଧାନ ଓ କଠିନ ପରିଶ୍ରମ ଯୋଗୁଁ ଅତୀତରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ଜିଲ୍ଲା ଓ ରାଜ୍ୟ ସ୍ତରରେ ‘କାୟକଲ୍ପ’ ଏବଂ ‘ଏନ୍କ୍ୱାସ୍’ (NQAS) ଭଳି ସମ୍ମାନଜନକ ପୁରସ୍କାର ପାଇବାରେ ସକ୍ଷମ ହୋଇଥିଲେ। ହେଲେ ବର୍ତ୍ତମାନ ଫାର୍ମାସିଷ୍ଟ ନଥିବାରୁ ଏହି ସବୁ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ରୋଗୀମାନେ ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି।
ଜନ ଅସନ୍ତୋଷ ଓ ଦାବି
ଏକା ସଙ୍ଗେ ସମସ୍ତ କେନ୍ଦ୍ରରୁ ଫାର୍ମାସିଷ୍ଟ ବଦଳି ହୋଇଯିବା ଏବଂ ନୂତନ ନିଯୁକ୍ତି ନହେବା କାରଣରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକେ ତୁରନ୍ତ ଖାଲି ପଡ଼ିଥିବା ପଦବୀ ପୂରଣ କରି ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା
ଏ ସମ୍ପର୍କରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ କୁମାର ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, “ଫାର୍ମାସିଷ୍ଟ ପଦବୀ ଖାଲି ଥିବା ବିଷୟରେ ଆମେ ଅବଗତ ଅଛୁ ଏବଂ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ଆମେ ଆଶାବାଦୀ।”
ବୋରିଗୁମ୍ମାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୬ଟି ଯାକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ଶୂନ୍ୟ
