ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଜି. ଇଚ୍ଛା ଭାରତମାଳା କ୍ୟାମ୍ପରୁ ହୋଇଥିବା ଚୋରି ଘଟଣାରେ ବୋରିଗୁମ୍ମା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଏହି ଘଟଣାର ତ୍ୱରିତ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା ବିପୁଳ ପରିମାଣର ଲୁହା ସାମଗ୍ରୀ ଜବତ କରିଛି।
ସୂଚନା ଅନୁଯାୟୀ, କିଛି ଦିନ ତଳେ ଦୁର୍ବୁତ୍ତମାନେ କ୍ୟାମ୍ପରୁ ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଓଜନର ଲୁହା ରଡ୍, ଆଇରନ ଏଙ୍ଗଲ୍ ଏବଂ ସେଣ୍ଟ୍ରିଙ୍ଗ ପ୍ଲେଟ ଚୋରି କରି ଫେରାର ହୋଇଯାଇଥିଲେ। ଏନେଇ ବୋରିଗୁମ୍ମା ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ଘଟଣାର ତନାଘନା ଆରମ୍ଭ କରିଥିଲା।
ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, ବୋରିଗୁମ୍ମା ସହରର ଭେଙ୍କଟ ରାଓ ନାମକ ଜଣେ ବ୍ୟକ୍ତି ଏହି ଚୋରି ସାମଗ୍ରୀଗୁଡ଼ିକୁ କିଣିଥିଲେ। ଏହି ସୂଚନା ଆଧାରରେ ପୋଲିସ ଚଢ଼ଉ କରି ୩ ଜଣ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲା ଏବଂ ଚୋରି ହୋଇଥିବା ସମସ୍ତ ଲୁହା ସାମଗ୍ରୀ ଜବତ କରି ଥାନାକୁ ଆଣିଥିଲା।
ବୋରିଗୁମ୍ମା ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଏହି ପ୍ରେସମିଟରେ ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ବସନ୍ତ ନାଗ ଓ ଏଏସଆଇ ଗୋପାଳ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।
