ପରମ୍ପରା ବନାମ ଆଧୁନିକତା: ଏବେବି ବଜାୟ ରହିଛି ପୁଷପୁନିର ମୌଳିକତା

ବୋରିଗୁମ୍ମା,ବି.ସିଂହପୂର୍ : “ପାନିଆ ଝୁନିଆଁ ମୁଠେକ୍ ଚାଉଲ୍ ଦିଆ କିନା, ଦେଲେ ଦିଆ ନହେଲେ ନାଇ ଯିବୁ ଆମେ ଘରେ ଗୋ ଯିବୁ ଆମେ ଘର୍…।” ଆଦିବାସୀ ଅଧ୍ୟୁଷିତ ଗାଁ ଦାଣ୍ଡରେ ଏବେ ଶୁଭୁଛି ଏଭଳି ପାରମ୍ପରିକ ଗୀତର ସ୍ୱର। ଆଧୁନିକ ଚାକଚକ୍ୟ ଓ ଇଣ୍ଟରନେଟ୍ ଯୁଗରେ ହଜିଯାଉଥିବା ଭାଇଚାରାକୁ ପୁଣିଥରେ ଉଜ୍ଜୀବିତ କରିଛି କୃଷିଭିତ୍ତିକ ଗଣପର୍ବ ‘ପୁଷପୁନି’।

ବୋରିଗୁମ୍ମା ବ୍ଳକର ବିଭିନ୍ନ ଗ୍ରାମରେ ଏବେ ଉତ୍ସବର ମାହୋଲ। ଧଙ୍ଗଡ଼ାମାନେ ବିଭିନ୍ନ ବେଶଭୂଷାରେ ସଜ୍ଜିତ ହୋଇ ଘର ଘର ବୁଲି ଛେର୍‌ଛେରା ମାଗୁଛନ୍ତି। ଏଥିରେ କେବଳ ମାଗିବା ନୁହେଁ, ବରଂ ହାସ୍ୟରସ ମଧ୍ୟ ଭରି ରହିଛି। “ଏକାକୀ ଖାଇଲେ ବେଶୀ ଝାଡ଼ା ହେବ” ବୋଲି କହି ଲୋକଙ୍କୁ ହସାଇ ହସାଇ ପିଲାମାନେ ଚାନ୍ଦା ଆଦାୟ କରୁଛନ୍ତି। ଗ୍ରାମବାସୀମାନେ ମଧ୍ୟ ଆନନ୍ଦର ସହ ନିଜର ଶ୍ରମ ଅର୍ଜିତ ଫସଲରୁ ମୁଠାଏ ଲେଖାଏଁ ଦାନ କରୁଛନ୍ତି।

ବିଶେଷକରି ପୋଡାପଦର, କୁମୁଲି, କାମତା, ବାଡିଗାଁ, ସେମେଲାଗୁଡା ଓ ରଣସପୁର ଭଳି ଗାଁଗୁଡ଼ିକରେ ହର୍ଷଉଲ୍ଲାସର ସହ ଏହି ପର୍ବ ପାଳିତ ହେଉଛି। ଏହି ଅଞ୍ଚଳରେ ପରମ୍ପରା, ସଂସ୍କୃତି ଓ ଐତିହ୍ୟର ବାର୍ତ୍ତା ବହନ କରୁଥିବା ଏହି ପର୍ବ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍ସାହ ଭରିଦେଇଛି। ପର୍ବ ଶେଷରେ ସାମୁହିକ ଭୋଜିଭାତର ଆୟୋଜନ ଗାଁର ଏକତାକୁ ଆହୁରି ମଜବୁତ କରୁଛି।

Leave a Reply

Your email address will not be published. Required fields are marked *