କୋରାପୁଟ ଜିଲ୍ଲାରେ ପର୍ଯ୍ୟାପ୍ତ ରନ୍ଧନ ଗ୍ୟାସ ଓ ତୈଳ ମହଜୁଦ: ଆତଙ୍କିତ ନହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

କୋରାପୁଟ (କ୍ରାନ୍ତି ଓଡ଼ିଶା ନ୍ୟୁଜ୍): କୋରାପୁଟ ଜିଲ୍ଲାରେ ରନ୍ଧନ ଗ୍ୟାସ (LPG) ଏବଂ ଜାଳେଣି ତୈଳର ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଥିବାରୁ ସାଧାରଣ ଖାଉଟିମାନେ ଅଯଥା ଆତଙ୍କିତ (Panic Booking) କିମ୍ବା ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସୂଚନା ଦେଇଛନ୍ତି।

ଜିଲ୍ଲାରେ ଉପଲବ୍ଧ ଥିବା ମହଜୁଦ ସୂଚନା:

​ଜିଲ୍ଲା ଯୋଗାଣ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ଜିଲ୍ଲାରେ ନିମ୍ନଲିଖିତ ପରିମାଣର ସାମଗ୍ରୀ ଗଚ୍ଛିତ ଅଛି:

  • ରନ୍ଧନ ଗ୍ୟାସ (14.2 KG): ୭,୦୬୮ ଟି ସିଲିଣ୍ଡର
  • ରନ୍ଧନ ଗ୍ୟାସ (19 KG): ୬୯୭ ଟି ସିଲିଣ୍ଡର
  • ପେଟ୍ରୋଲ: ୫୬୨.୫୫ କିଲୋ ଲିଟର
  • ଡିଜେଲ: ୮୬୬.୫୫ କିଲୋ ଲିଟର

କଳାବଜାରୀ ରୋକିବାକୁ ଜିଲ୍ଲାସ୍ତରୀୟ କମିଟି ଗଠନ:

​LPG ଏବଂ ତୈଳର କଳାବଜାରୀ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ‘ଜିଲ୍ଲା ସ୍ତରୀୟ ମନିଟରିଙ୍ଗ କମିଟି’ ଗଠନ କରାଯାଇଛି। ଏହି କମିଟିରେ କୋରାପୁଟ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟ ଓ ଜୟପୁର ଉପ-ଜିଲ୍ଲାପାଳ ଏବଂ ତୈଳ କମ୍ପାନୀର ଅଧିକାରୀମାନେ ସଦସ୍ୟ ରହିଛନ୍ତି।

ଜାରି ହେଲା ହେଲ୍ପଲାଇନ ନମ୍ବର:

​ଖାଉଟିମାନଙ୍କ ସୁବିଧା ଏବଂ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। କୌଣସି ଅଭିଯୋଗ ଥିଲେ ଖାଉଟିମାନେ ୦୬୮୫୨-୨୫୧୧୦୧ ନମ୍ବରରେ ଯୋଗାଯୋଗ କରିପାରିବେ। କଳାବଜାରୀ କିମ୍ବା କୃତ୍ରିମ ଅଭାବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *