ଉତ୍କଳ ସମ୍ମିଳନୀ କୋରାପୁଟ ଶାଖାର ବୈଠକ
ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ରେ ହେବ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନ
ଜୟପୁର, ୧୫ା୧ା୨୬:- ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖାର ଏକ ସ୍ୱତନ୍ତ୍ର ବୈଠକ ଆଜି ଖାଲସାହି ହରିଶ୍ଚନ୍ଦ୍ର ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ଅନୁପସ୍ଥିତି ନେଇ ସଂପାଦକଙ୍କ ପ୍ରସ୍ତାବ କ୍ରମେ ଏଥିରେ ଜିଲ୍ଲା ଶାଖା ଉପସଭାପତି ରାଜେନ୍ଦ୍ର କୁମାର ଗୌଡ ସଭାପତିତ୍ୱ କରିଥିଲେ । ବୈଠକରେ ସାତୋଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବିଶେଷକରି ଜୟପୁରରେ ଆସନ୍ତା ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନକୁ କିଭଳି ଶୃଙ୍ଖଳିତ ଏବଂ ସୁସଂଗଠିତ ଢ଼ଙ୍ଗରେ କରାଯିବ ସେନେଇ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା । ଏଥି ସକାଶେ ବିଭିନ୍ନ ସ୍ଥାନକୁ ପତ୍ର ପ୍ରେରଣ, ଅତିଥିଙ୍କ ପାଇଁ ଆତିଥେୟତା ବ୍ୟବସ୍ଥା, ସଭ୍ୟ ସଂଗ୍ରହ ଉପରେ ଆଲୋଚନା କରାଯାଇଥିଲା । ଶାଖାର ବ୍ୟାଙ୍କ ଆକାଉଣ୍ଟ ସୁପରିଚାଳନା ପାଇଁ ସଂପାଦକ ନବୀନ ମାଦଳାଙ୍କୁ ଦାୟିତ୍ୱ ପ୍ରଦାନ ସହ ଅଧିବେଶନ ପାଇଁ ଲେଟେର୍ ପ୍ୟାଡ଼୍ ଉନ୍ମୋଚନ କରାଯାଇଥିଲା । ବୈଠକରେ ରାଜ୍ୟ ପରିଷଦ ସଦସ୍ୟ ସୂର୍ଯ୍ୟ ନାରାୟଣ ରଥ, ବାଲା ରାୟ, ସଂଗଠନ ସଂପାଦକ କବିରାଜ ପରମେଶ୍ୱର ପାତ୍ର, ଚନ୍ଦ୍ରମଣି ବାରିକ, କୃଷ୍ଣଚନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଯୁଗ୍ମ ସଂପାଦକ ଚନ୍ଦ୍ରକାନ୍ତ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ ।
