ଜୟପୁର, ୧୪/୦୧: ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ତଥା ସାହିତ୍ୟ ସମ୍ରାଟ ଫକୀର ମୋହନ ସେନାପତିଙ୍କ ପବିତ୍ର ଜୟନ୍ତୀ ଅବସରରେ ଜୟପୁର ସହରରେ ଜୟନ୍ତୀ ସମାହାର–୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଗରିମାର ସହିତ ପାଳିତ ହୋଇଯାଇଛି। ସ୍ଥାନୀୟ ବସୁମତି ସାହିତ୍ୟି ପରିଷଦ ସଭାପତି ଚନ୍ଦ୍ରମଣି ବାରିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାହିତ୍ୟିକ, ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହି ଅବସରରେ ଆୟୋଜିତ ସାହିତ୍ୟିକ ସଭାରେ ବକ୍ତାମାନେ ଫକୀର ମୋହନଙ୍କ ଅମର ସୃଷ୍ଟି ‘ଛ ମାଣ ଆଠ ଗୁଣ୍ଠ’, ‘ମାମୁ’, ‘ପ୍ରାୟଶ୍ଚିତ୍ତ’ ଆଦି ସାହିତ୍ୟକୃତି ମାଧ୍ୟମରେ ସମାଜ ସଂସ୍କାର ଓ ଓଡ଼ିଆ ଜାତିଚେତନାରେ ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ୱାଦିନ ସାହୁ, ତାପସ ପଣ୍ଡା, କୈଳାଶ ସାମନ୍ତରାୟ, ଡ଼. ସୁଦର୍ଶନ ଗୌଡ଼, ପି. ଗୁପେରେଶ୍ୱର ରାଓ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ସମାହାରରେ କବିତା ପାଠ, ଆଲୋଚନା ସଭା ଓ ସାହିତ୍ୟ ଉପସ୍ଥାପନା ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷରେ ସମସ୍ତେ ଫକୀର ମୋହନଙ୍କ ଆଦର୍ଶକୁ ଆତ୍ମସାତ କରି ଓଡ଼ିଆ ଭାଷା ଓ ସାହିତ୍ୟର ସମ୍ମାନ ରକ୍ଷା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ।
ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ସମାହାର ଜୟପୁରରେ ଚନ୍ଦ୍ରମଣି ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ
