ଜୟପୁର: ଓଡ଼ିଶା ଅମଲା ସଂଘ, କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଆଜି ଜୟପୁରସ୍ଥିତ ଯାଦବ ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀ ଶଶି ଭୂଷଣ ଦାଶ ଯୋଗ ଦେଇ ରାଜସ୍ୱ ଅମଲା ସଂଘର କର୍ମକର୍ତ୍ତାଙ୍କ ବିଭ୍ରାନ୍ତିକର ଓ ମିଥ୍ୟା ମନ୍ତବ୍ୟ ଉପରେ ଦୃଢ଼ ସ୍ପଷ୍ଟୀକରଣ ରଖିଛନ୍ତି।
ଶ୍ରୀ ଦାଶ କହିଛନ୍ତି ଯେ, କିଛି ରାଜସ୍ୱ ଅମଲା କେବଳ ନିଜର ସ୍ୱାର୍ଥ ସାଧନ ପାଇଁ ଓଡ଼ିଶା ଅମଲା ସଂଘକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସେ ସ୍ପଷ୍ଟ କରିଥିଲେ ଯେ ଉକ୍ତ ବ୍ୟକ୍ତିମାନେ ଓଡ଼ିଶା ଅମଲା ସଂଘର ସଦସ୍ୟ ମଧ୍ୟ ନୁହନ୍ତି।
ଶ୍ରୀ ଦାଶଙ୍କ ମତରେ: “ଯେଉଁ ରାଜସ୍ୱ ଅମଲାମାନେ ନିଜକୁ ଓଡ଼ିଶା ଅମଲା ସଂଘର କର୍ମକର୍ତ୍ତା ବୋଲାଉଛନ୍ତି, ସେମାନେ ରାଜସ୍ୱ ଅମଲା ସଂଘର ଡାକରାରେ ହିଁ ଆନ୍ଦୋଳନକୁ ଓହ୍ଲାଇଥିଲେ। ତା ୧୧.୦୮.୨୦୨୫ ରିଖ ଠାରୁ ତା ୨୫.୦୮.୨୦୨୫ ରିଖ ପର୍ଯ୍ୟନ୍ତ ସେମାନଙ୍କ ଦରମା ବନ୍ଦ ହୋଇଥିବା ବେଳେ ଏବେ ନିଜକୁ ଆମ ସଂଘର କର୍ମକର୍ତ୍ତା କହିବା ନିଶ୍ଚିତ ଭାବରେ ହାସ୍ୟାସ୍ପଦ।”
ଶ୍ରୀ ଦାଶ୍ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ, ରାଜ୍ୟ ସଂଘର ଅନେକ ବୈଠକ ଓ ସମ୍ମିଳନୀ ହୋଇଥିବା ବେଳେ ସେମାନେ ଗୋଟିଏ ବି ବୈଠକରେ ଯୋଗ ନ ଦେଇ କିପରି ସଂଘର କର୍ମକର୍ତ୍ତା ବୋଲାଇ ପାରିବେ। ଏହି ବିଭ୍ରାନ୍ତି ସୃଷ୍ଟିକାରୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଓଡ଼ିଶା ଅମଲା ସଂଘର ରାଜ୍ୟ ସାଧାରଣ ସମ୍ପାଦକ ମାନ୍ୟବର ଜିଲ୍ଲାପାଳ, କୋରାପୁଟ ଓ ଆରକ୍ଷୀ ଅଧିକ୍ଷକ, କୋରାପୁଟଙ୍କୁ ପତ୍ର ଲେଖିଥିବା ଶ୍ରୀ ଦାଶ୍ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
🌟 ନୂତନ କମିଟି ନିର୍ବାଚନ ଓ ଶପଥ ଗ୍ରହଣ
ସଂଘର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦାଶ୍ ସ୍ପଷ୍ଟ କରିଥିଲେ ଯେ ବର୍ତ୍ତମାନ ଚାଲିଥିବା ନିର୍ବାଚନ ପ୍ରକ୍ରିୟା ଡିସେମ୍ବର ୧୪ ତାରିଖରେ ଚୂଡ଼ାନ୍ତ ହେବ। ଏଥିପାଇଁ ରାଜ୍ୟ ସଂଘ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ତା ୧୪.୧୨.୨୦୨୫ ରିଖ ଦିନ ଜୟପୁର ଯାଦବ ଭବନ ଠାରେ ନବନିର୍ବାଚିତ ସଦସ୍ୟମାନେ ରାଜ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶପଥ ପାଠ କରିବେ। ଶପଥ ପାଠ ପରେ ନୂତନ କମିଟି ଅତି ଶୀଘ୍ର ଦାୟିତ୍ୱ ଗ୍ରହଣ କରିବ ବୋଲି ଜଣାପଡ଼ିଛି।
ଏହି ସମ୍ମିଳନୀରେ ନିର୍ଦ୍ୱନ୍ଦରେ ବିଜୟ ଘୋଷିତ ହେବାକୁ ଥିବା ସଂଘ ସଭାପତି ଶ୍ରୀ ଜଗନ୍ନାଥ ମାଝୀ, ସମ୍ପାଦକ ଶ୍ରୀ ଜଗେନ୍ଦ୍ର ଚୌଧୁରୀ, କୋଷାଧ୍ୟକ୍ଷ ଶ୍ରୀ ନାଗେଶ୍ୱର ରାଓ, ପୂର୍ବତନ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ପଣ୍ଡା, ଓ ସଦସ୍ୟ ଶ୍ରୀ ରଜନୀକାନ୍ତ ଘୋଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ।

