
କୋଟପାଡ଼ NAC ଟେଣ୍ଡରରେ ବ୍ୟାପକ ଅନିୟମିତତା ଅଭିଯୋଗ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ୟୁଥ୍ ଅର୍ଗାନାଇଜେସନ
କୋରାପୁଟ/ଜୟପୁର (୩୦/୦୧): କୋରାପୁଟ ଜିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ର ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଓ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ‘ୟୁଥ୍ ଅର୍ଗାନାଇଜେସନ’ ପକ୍ଷରୁ ଏହି ଅଭିଯୋଗ ଆଣିବା ସହ ଘଟଣାର ନିଷ୍ପକ୍ଷ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଅଭିଯୋଗର ମୁଖ୍ୟ ବିନ୍ଦୁ:ନୂତନ ଗାଇଡଲାଇନର ଅବମାନନା: ଓଡ଼ିଶା ସରକାରଙ୍କ କାର୍ଯ୍ୟ ବିଭାଗ ପକ୍ଷରୁ ଗତ ୩ ଜାନୁଆରୀ ୨୦୨୬ରେ ଜାରି ହୋଇଥିବା ନୂତନ ନିୟମକୁ କୋଟପାଡ଼ NAC ପ୍ରଶାସନ ବେଖାତିର କରିଥିବା କୁହାଯାଇଛି। ଜାନୁଆରୀ ୧୬ରେ ପ୍ରାୟ ୨ କୋଟି ଟଙ୍କାର ୮ଟି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା, ଯେଉଁଥିରେ ‘ନେଗେଟିଭ୍ ବିଡ୍ କ୍ୟାପ୍’ (Negative Bid Cap) ନିୟମକୁ ଉଲ୍ଲଂଘନ କରାଯାଇଥିବା ସଂଗଠନ ଅଭିଯୋଗ କରିଛି।ଶ୍ରେଣୀଗତ ଅନିୟମିତତା: ଅର୍ଥ ବିଭାଗର ନିୟମ ଅନୁସାରେ ‘A’, ‘B’ ଓ ‘C’ ଶ୍ରେଣୀର ଠିକାଦାରଙ୍କ ପାଇଁ ଆର୍ଥିକ ସୀମା ନିର୍ଦ୍ଧାରିତ ଥିବା ସତ୍ତ୍ୱେ, ୫୦ ଲକ୍ଷ ଟଙ୍କାର କାର୍ଯ୍ୟରେ ‘A’ ଶ୍ରେଣୀର ଠିକାଦାରଙ୍କୁ ଅନୁମତି ଦିଆଯିବା ପଛରେ ଗଭୀର ରହସ୍ୟ ଥିବା ସନ୍ଦେହ କରାଯାଉଛି।ମନୋମାନି ଓ ସଲାସୁତୁରା: କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅଯାଚିତ ଅନୁଗ୍ରହ ପ୍ରଦାନ କରିବା ପାଇଁ ଟେଣ୍ଡର ପ୍ରକ୍ରିୟାକୁ ଜାଲିଆତି କରାଯାଇଥିବା ଏବଂ ଏଥିରେ NAC ଏକ୍ସିକ୍ୟୁଟିଭ୍ ଅଫିସର ଓ ଚେୟାରମ୍ୟାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ୟୁଥ୍ ଅର୍ଗାନାଇଜେସନ ଦାବି କରିଛି।କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି:ସଂଗଠନ ପକ୍ଷରୁ ଏହି ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ଆର୍ଥିକ କାରବାରର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯାଇଛି। ଏହି ଅଭିଯୋଗ ପତ୍ରର ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ବିଭାଗର ସଚିବ, ଭିଜିଲାନ୍ସ ଏସ୍ପି ଓ ଉପ-ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି। ଯଦି ତୁରନ୍ତ ଏଥିରେ ହସ୍ତକ୍ଷେପ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।
