କୋରାପୁଟରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ: କଫି, ମାଣ୍ଡିଆ ଓ କଳାଜିରାର ହେବ ସ୍ୱତନ୍ତ୍ର ପ୍ରଦର୍ଶନ

କୋରାପୁଟ : ଆଗାମୀ ଜାନୁୟାରୀ ୨୬ ତାରିଖ ଦିନ କୋରାପୁଟ ଜିଲ୍ଲାରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରାଯିବ। ଏନେଇ ଜିଲ୍ଲା ସଦରମହକୁମା ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ୨୬ ତାରିଖ ଦିନ ସକାଳ ୫ ଘଟିକାରେ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ରାମଧୂନ ଗାନ କରାଯିବ। ସକାଳ ୭ଟାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ହେବା ପରେ, ସକାଳ ୮ଟା ୩୦ ମିନିଟରେ ସ୍ଥାନୀୟ ପୁଲିସ ପଡିଆ ଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥିପାଇଁ ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅଭ୍ୟାସଗତ ପ୍ୟାରେଡ ଆୟୋଜନ କରାଯିବ।
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ କୋରାପୁଟର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା କଫି, ମାଣ୍ଡିଆ, କଳାଜିରା ଓ କୋଟପାଡ଼ର ମିରୀଗାନ ଶାଢ଼ୀକୁ ପ୍ରଜ୍ଞାପନ ମେଢରେ ସ୍ୱତନ୍ତ୍ର ଭାବରେ ପ୍ରଦର୍ଶିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ପ୍ରଜ୍ଞାପନ ମେଢ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଫୋଟ ଚିତ୍ର ପ୍ରଦର୍ଶନୀ ମଧ୍ୟ କରାଯିବ।
ଉତ୍ସବ ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା, ଦେଶାତ୍ମବୋଧକ ସଂଗୀତ, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ୨୫ ତାରିଖ ସନ୍ଧ୍ୟାରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯିବ। ଏହି ଅବସରରେ ଏକ ରକ୍ତଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ। ସ୍ୱେଚ୍ଛାକୃତ ରକ୍ତଦାତାମାନେ ରକ୍ତଦାନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସଂସ୍କୃତି ଭଵନ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସ ପାଳନ ଦିନ ଜିଲ୍ଲାରେ ଆମିଷ ବଜାର ବନ୍ଦ ରଖିବାକୁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି।
ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଓ ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଲେଇ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି, ପୌର ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ଏସଡିପିଓ ସଞ୍ଜୟ କୁମାର ମଣ୍ଡଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସହରର ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ବୈଠକଟିକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *