କୋରାପୁଟ/ବିଜାପୁର, ୧୮ ଜାନୁଆରୀ (କ୍ରାନ୍ତି ବାର୍ତ୍ତା ପ୍ରତିନିଧି):
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ଆଜି ସକାଳେ ବିଜାପୁର ଜିଲ୍ଲା ଅନ୍ତର୍ଗତ ଏକ ଜାତୀୟ ଉଦ୍ୟାନ ଅଞ୍ଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଭୟାବହ ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ନିହତଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ଶୀର୍ଷ ମାଓ ନେତା ପାପା ରାଓ ଥିବା ନେଇ ପ୍ରାଥମିକ ସୂଚନା ମିଳୁଛି।
ଅତର୍କିତ ଗୁଳିଚାଳନା ଓ ପାଲଟା ଜବାବ
ବିଶେଷ ସୂତ୍ରରୁ ନକ୍ସଲ ଗତିବିଧି ସମ୍ପର୍କରେ ଖବର ପାଇ ବିଜାପୁର ଜିଲ୍ଲା ପୁଲିସ ଏବଂ ଡିଆରଜି (DRG) ଯବାନମାନେ ମିଳିତ ଭାବେ ସମ୍ପୃକ୍ତ ଜାତୀୟ ଉଦ୍ୟାନ ଅଞ୍ଚଳରେ ଏକ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାବଳକୁ ଦେଖି ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ନକ୍ସଲମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ଯବାନମାନେ ମଧ୍ୟ ଅତ୍ୟନ୍ତ ସାହସିକତାର ସହ ଏହାର ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟ ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।
ଏକେ-୪୭ ସହ ବହୁ ସାମଗ୍ରୀ ଜବତ
ଗୁଳିବିନିମୟ ଶେଷ ହେବା ପରେ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ (AK-47) ରାଇଫଲ, ବିପୁଳ ପରିମାଣର ଗୋଳାବାରୁଦ, ମାଓ ପୋଷାକ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।
ପାପା ରାଓଙ୍କୁ ନେଇ ସସପେନ୍ସ
ନିହତ ନକ୍ସଲଙ୍କ ମଧ୍ୟରେ ମାଓ ସଙ୍ଗଠନର ବଡ଼ ଚେହେରା ପାପା ରାଓ ଅଛନ୍ତି କି ନାହିଁ, ସେ ନେଇ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପୁଷ୍ଟି କରାଯାଇନାହିଁ। ପୁଲିସ କହିଛି ଯେ, ଅପରେସନ ଶେଷ କରି ଯବାନମାନେ ବେସ୍ କ୍ୟାମ୍ପକୁ ଫେରିବା ପରେ ଏବଂ ଶବ ଚିହ୍ନଟ ପ୍ରକ୍ରିୟା ସରିବା ପରେ ସନ୍ଧ୍ୟା ସୁଦ୍ଧା ସଠିକ୍ ପରିଚୟ ପ୍ରଦାନ କରାଯିବ।
ସୀମାନ୍ତରେ ହାଇ-ଆଲର୍ଟ
ଏହି ଏନକାଉଣ୍ଟର ପରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ମାଲକାନଗିରି ଓ କୋରାପୁଟ ସୀମାରେ ଯବାନମାନେ ହାଇ-ଆଲର୍ଟରେ ରହିବା ସହ ଅତିରିକ୍ତ ବାହିନୀ ମୋତାୟେନ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର: ୨ ମାଓବାଦୀ ନିପାତ, ଶୀର୍ଷ ନେତା ପାପା ରାଓ ନିହତ ସନ୍ଦେହ
