କୋରାପୁଟ ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ଦୁର୍ଦ୍ଦଶା: ପ୍ଲାଟଫର୍ମ ଚୟନରେ ବିଭ୍ରାଟ, ବିପଦ ସଂକୁଳ ଭାବେ ଟ୍ରାକ୍ ପାର ହେଉଛନ୍ତି ଯାତ୍ରୀ

କୋରାପୁଟ, ୧୯/୦୧ : ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ତଥା ପର୍ଯ୍ୟଟନର ହବ୍ କୁହାଯାଉଥିବା କୋରାପୁଟ ରେଲୱେ ଷ୍ଟେସନରେ ଏବେ ଯାତ୍ରୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରେଲୱେ କର୍ତ୍ତୃପକ୍ଷଙ୍କ ପ୍ଲାଟଫର୍ମ ପରିଚାଳନାରେ ତ୍ରୁଟି ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି।
ମାଲବାହୀକୁ ପ୍ରାଧାନ୍ୟ, ଯାତ୍ରୀବାହୀ ପ୍ରତି ଅବହେଳା
ସୂଚନା ଅନୁଯାୟୀ, ଷ୍ଟେସନର ମୁଖ୍ୟ ଦ୍ୱାର ନିକଟରେ ଥିବା ୧ ଓ ୨ ନମ୍ବର ପ୍ଲାଟଫର୍ମରେ ପ୍ରତିଦିନ ମାଲବାହୀ ଟ୍ରେନଗୁଡ଼ିକୁ ରଖାଯାଉଥିବା ବେଳେ, ଯାତ୍ରୀବାହୀ ଟ୍ରେନଗୁଡ଼ିକୁ ଦୂରରେ ଥିବା ୪ ଓ ୫ ନମ୍ବର ପ୍ଲାଟଫର୍ମରେ ଲଗାଯାଉଛି। ଫଳରେ ଯାତ୍ରୀମାନେ ନିଜର ଭାରୀ ଲଗେଜ୍ ଧରି ଫୁଟ୍ ଓଭର ବ୍ରିଜ୍ ଦେଇ ଯିବା ଆସିବା କରିବାରେ ଅକଥନୀୟ କଷ୍ଟ ସହୁଛନ୍ତି।
ବିପଦରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ
ବରିଷ୍ଠ ନାଗରିକ, ମହିଳା ଏବଂ ଭିନ୍ନକ୍ଷମ ଯାତ୍ରୀଙ୍କ ପାଇଁ ୪ ଓ ୫ ନମ୍ବର ପ୍ଲାଟଫର୍ମକୁ ଯିବା ଏକ ବଡ଼ ଆହ୍ୱାନ ସାଜିଛି। ସିଡ଼ି ଚଢ଼ିବା ସମ୍ଭବ ହେଉ ନଥିବାରୁ ଅନେକ ଯାତ୍ରୀ ନିଜ ଜୀବନକୁ ପାଣି ଛଡ଼ାଇ ବିପଦ ସଂକୁଳ ଭାବେ ରେଳ ଧାରଣା ପାର ହୋଇ ଯାତାୟାତ କରୁଛନ୍ତି। ଏହା ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଦୁର୍ଘଟଣାକୁ ନିମନ୍ତ୍ରଣ ଦେଉଛି।
ବର୍ଷ ବର୍ଷର ଦାବି ପ୍ରତି କର୍ଣ୍ଣପାତ କରୁନି ରେଳବାଇ
କୋରାପୁଟ ଜିଲ୍ଲା ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଜଙ୍କସନ ହୋଇଥିବାରୁ ଏଠାକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଓ ବ୍ୟବସାୟୀ ଆସିଥାନ୍ତି। ୧ ଓ ୨ ନମ୍ବର ପ୍ଲାଟଫର୍ମରେ ଯାତ୍ରୀବାହୀ ଟ୍ରେନ ରହଣି ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ହେଁ ରେଳବାଇ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନାହିଁ।
“ଆମେ ବହୁତ ଦିନରୁ ଦାବି କରୁଛୁ ଯେ ଯାତ୍ରୀବାହୀ ଟ୍ରେନକୁ ୧ ଓ ୨ ନମ୍ବର ପ୍ଲାଟଫର୍ମରେ ଲଗାଯାଉ। ବରିଷ୍ଠ ନାଗରିକମାନେ ଟ୍ରାକ୍ ପାର ହେବା ସମୟରେ ଭୟ ଲାଗୁଛି। ରେଳବାଇ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଉଚିତ।” – ସ୍ଥାନୀୟ ଯାତ୍ରୀ
ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ନହୁଏ, ତେବେ କୋରାପୁଟ ବାସିନ୍ଦା ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ରେଲୱେ କର୍ତ୍ତୃପକ୍ଷ ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମାଲବାହୀ ଟ୍ରେନ ପରିବର୍ତ୍ତେ ଯାତ୍ରୀବାହୀ ଟ୍ରେନକୁ ମୁଖ୍ୟ ପ୍ଲାଟଫର୍ମରେ ଲଗାଇବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *