ଜୟପୁରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ — ଜନମାନସରେ ଜାଗୃତି ସୃଷ୍ଟି କଲା ରାଲି

ଜୟପୁର, ୨/୧୧, ଦୁର୍ନୀତି ହୀନ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୂହିକ ଦାୟିତ୍ୱ ଉପରେ ଜୋର ଦେଇ ଏବର୍ଷ ଦୁର୍ନୀତି ନିବାରଣ ସପ୍ତାହ ଜୟପୁର ଉପଖଣ୍ଡରେ ଗମ୍ଭୀରତାର ସହିତ ପାଳିତ ହେଲା। ଅକ୍ଟୋବର ୨୮ ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଚାଲିଥିବା ଏହି ସପ୍ତାହ ପାଳନର ଅଂଶରୂପ ଆଜି ଜୟପୁର ଦୁର୍ନୀତି ନିବାରଣ ବିଭାଗ ଶାଖା ପକ୍ଷରୁ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା।
ରାଲିଟି ସ୍ଥାନୀୟ ରାଜାନଗର ଚକରୁ ଆରମ୍ଭ ହୋଇ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଉପଜିଲ୍ଲାପାଳ ସୁଶ୍ରୀ ଆକାବରମ୍ ସସ୍ୟା ରେଡ୍ଡି ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କଲେ। ଏବର୍ଷର ଥିମ୍ — “ଦୁର୍ନୀତି ନିବାରଣ ଆମ ସାମୂହିକ ଦାୟିତ୍ୱ” — ସହ ରାଲିରେ ସମସ୍ତ ଅଂଶଗ୍ରାହୀ “ନିଜ ଦେଶକୁ ଦୁର୍ନୀତି ମୁକ୍ତ କରିବା ଆମ ଶପଥ” ମନ୍ତ୍ର ସହ ଅଗ୍ରସର ହେଲେ।
କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା ସମସ୍ତଙ୍କୁ ସଚେତନତା ସନ୍ଦେଶ ଦେଇ କହିଲେ — “ଦୁର୍ନୀତିକୁ ଦୂର କରିବା ପାଇଁ ନିଜ କାର୍ଯ୍ୟରେ ସତତା ଓ ସଦାଚାର ରଖିବା ହିଁ ସବୁଠୁ ଦୃଢ଼ ପଦକ୍ଷେପ।” ସେ ସମସ୍ତ ଅଧିକାରୀ, କର୍ମଚାରୀ ଓ ନାଗରିକଙ୍କ ସହଯୋଗରେ ଦୁର୍ନୀତି ବିରୋଧୀ ଅଭିଯାନକୁ ସଫଳ କରିବା ଆହ୍ୱାନ କଲେ।
ଏହି ରାଲିରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଥିଲେ
ଶ୍ରୀମତୀ ତୃପ୍ତି ବରାଇ, ପ୍ରକଳ୍ପ ନିର୍ଦେଶକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁର; ଅନନ୍ତ ପ୍ରସାଦ ମଲ୍ଲିକ (ଅତିରିକ୍ତ ଏସ୍ପି), ସଂଜୟ କୁମାର ପ୍ରଧାନ (ଇନ୍ସପେକ୍ଟର୍), ସୂର୍ଯ୍ୟ ପ୍ରକାଶ ନାୟକ, ଅନୁଭା ଦାଶ, ସାବିତ୍ରି ପ୍ରଧାନ, ସନ୍ତୋଷି ବାରିକ, ଅଭୟ ମହାପାତ୍ର, ଏହାସହ ଷ୍ଟେନୋ, ଏ ଏସ ଆଇ ଓ Constables, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦ ଗାଦବା, ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକ, ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳକ, ବିଭିନ୍ନ ବିଭାଗର ଅଧିକାରୀ, ସ୍କୁଲ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ସେବା ଗ୍ରୁପ ଓ ଲାୟନ୍ସ କ୍ଲବ୍ ସଦସ୍ୟମାନେ।
ସଚେତନତା ରାଲି ସହ ଜୟପୁର ସହର ଆଜି ଦୁର୍ନୀତି ବିରୋଧୀ ସନ୍ଦେଶରେ ମେସି ଗଲା। ଲୋକମାନେ ଏହି ଅଭିଯାନକୁ ସ୍ୱାଗତ କରି ସରକାରୀ କାର୍ଯ୍ୟରେ ସଚୋଟ୍ଟତା ରଖିବା ଶପଥ ନେଲେ।

Leave a Reply

Your email address will not be published. Required fields are marked *