
କୋରାପୁଟର ବିକାଶ ପାଇଁ ୫୪୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
• ‘ପରବ-୨୦୨୫’ର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କହିଲେ: କୋରାପୁଟ ମାଟି ବାଣ୍ଟେ ଶାନ୍ତି ଓ ଭଲପାଇବାର ମହକ
• ୮୬ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ, ‘ବିକାଶ ଭି ବିରାସତ ଭି’ ଆମର ମୂଳମନ୍ତ୍ର
କୋରାପୁଟ, ୨୧/୧୨ (ନି.ପ୍ର): ପ୍ରକୃତିର ଅନନ୍ୟ ବରଦାନ ତଥା ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ମାଟିର ଗଣପର୍ବ ‘ପରବ-୨୦୨୫’ର ଚତୁର୍ଥ ସନ୍ଧ୍ୟା ଐତିହାସିକ ହୋଇଯାଇଛି। ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ୫୪୫ କୋଟି ଟଙ୍କାର ଏକାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି।
କୋରାପୁଟ ସ୍ଥିତ ଶହିଦ ଲକ୍ଷ୍ମଣ ନାୟକ ମଞ୍ଚରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ପାଇଁ ମୋଟ ୮୬ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରେ ୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୫୨୧ କୋଟି ଟଙ୍କା ମୂଲ୍ୟର ୭୦ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜଳସେଚନ, ସ୍ୱାସ୍ଥ୍ୟସେବା, କ୍ଷୁଦ୍ର ଶିଳ୍ପ, ଅର୍ବାନ ହଷ୍ଟେଲ, ରାସ୍ତା ଓ ସେତୁ ନିର୍ମାଣ, ମିଶନ ଶକ୍ତି ଭବନ ଏବଂ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ରହିଛି, ଯାହା ଜିଲ୍ଲାର ପ୍ରଗତିକୁ ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ବିକାଶ ସହ ବିରାସତ:
ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଆମ ସରକାରଙ୍କ ମନ୍ତ୍ର ହେଉଛି ‘ବିକାଶ ଭି ବିରାସତ ଭି’। କୋରାପୁଟର କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ସହ ଏହାର ଅର୍ଥନୈତିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।” ସେ କୋରାପୁଟର କଫି, କଳାଜିରା ଧାନ, କୋଟପାଡ଼ ଶାଢ଼ୀ ଏବଂ ମାଣ୍ଡିଆ (ଶ୍ରୀ ଅନ୍ନ)ର ବିଶ୍ୱସ୍ତରୀୟ ଚାହିଦା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ମିଲେଟ୍ ଚାଷରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଡ. ରାଇମତି ଘିଉରିଆଙ୍କ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ।
ପରବ: ଏକତାର ପ୍ରତୀକ:
୧୯୯୬ ମସିହାରୁ ଆରମ୍ଭ ହୋଇଥିବା ‘ପରବ’ ଆଜି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ସାମାଜିକ ଓ ସାଂସ୍କୃତିକ ଚେତନାର ଏକ ମହାମଞ୍ଚ ପାଲଟିଛି। ଏହା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ‘ପରବ’ ପାଇଁ ଏକ ସ୍ୱତନ୍ତ୍ର ଜ୍ୟାକେଟ୍ ଏବଂ ଭିଡିଓ ଗୀତର ଉନ୍ମୋଚନ ମଧ୍ୟ କରିଥିଲେ।
ଅନ୍ୟାନ୍ୟ ଅତିଥି:
ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଆଦିବାସୀ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ରାମଚନ୍ଦ୍ର କାଡାମ, ରୁପୁ ଭତ୍ରା, ପବିତ୍ର ସାଉଁତା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସ୍ୱାଗତ ଭାଷଣ ଦେଇଥିବାବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ଧନ୍ୟବାଦ ଅର୍ପଣ କରିଥିଲେ।
