ଜୟପୁର ସରସ୍ୱତି ବାଲ ମନ୍ଦିରରେ ବାର୍ଷିକ ପ୍ରଦର୍ଶନୀ ଉତ୍ସବ ଧାମାକେଦାର ଭାବେ ପାଳିତ ।

ଜୟପୁର,୨/୧୧, ଜୟନଗରସ୍ଥିତ ପାଇକ ସାହିରେ ଅବସ୍ଥିତ ସରସ୍ୱତି ବାଲ ମନ୍ଦିର ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ବହୁ ଆଡ଼ମ୍ବର ଏବଂ ଉତ୍ସାହ ମଧ୍ୟରେ ବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ ଉତ୍ସବ ପାଳିତ ହୋଇସାରିଛି। ପ୍ରଭାତି ୯ଟା ସମୟରେ ଶ୍ରୀଯୁକ୍ତ ହରିହର କରସୁଧା ପଟ୍ଟନାୟକଙ୍କ ହସ୍ତେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶ୍ରୀଫଳ ଭଗ୍ନ କରି ଆନୁଷ୍ଠାନିକ ଭାବରେ ପ୍ରଦର୍ଶନୀର ଉଦଘାଟନ ହୋଇଥିଲା।
ଏହି ଅବସରରେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ନାୟକ, ସି.ଆର.ସି. ରୁଦ୍ରପ୍ରସନ୍ନ ପାଣିଗ୍ରାହୀ, ରାମେଶ୍ୱର ପଣ୍ଡା ଓ ବିଜୟଲକ୍ଷ୍ମୀ ସ୍ୱାଇଁ ସହିତ ବିଭିନ୍ନ ଅତିଥିମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ୟମ ଓ ସୃଜନଶୀଳତାର ଭୁୟସୀ ପ୍ରଶଂସା କରିଥିଲେ।
ଏକା ସମୟରେ ଆୟୋଜିତ ବିଜ୍ଞାନ, ସାହିତ୍ୟ, ମହାପୁରୁଷଙ୍କ ଫଟୋ, ଫୁଲ, ଔଷଧୀୟ ବୃକ୍ଷ, ଟେଡି, ଖାଦ୍ୟ, ଅସ୍ତ୍ରଶସ୍ତ୍ର, ଗୃହ ସୁସଜ୍ଜିକରଣ, ଡ୍ରଇଂ, ଝୋଟି, ଶସ୍ୟ, ମାପ ଉପକରଣ ଏବଂ ହସ୍ତକର୍ମ ଭଳି ୧୨ଟି ପ୍ରଦର୍ଶନୀ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।
ମଞ୍ଚରେ ପିଲାମାନଙ୍କ ଦ୍ୱାରା ପରିବେଷିତ ଗୀତ, ନୃତ୍ୟ, କବିତା ଆବୃତ୍ତି ଏବଂ ଗପ-ଅନୁଭୂତି ବର୍ଣ୍ଣନା ଦର୍ଶକମାନଙ୍କୁ ମୁଗ୍ଧ କରିଦେଇଥିଲା। ହସ୍ତକର୍ମ ପ୍ରଦର୍ଶନୀରେ ପିଲାମାନଙ୍କ ପ୍ରସ୍ତୁତ ଜିନିଷ ଅଭିଭାବକମାନେ ମୂଲ୍ୟଦେଇ କିଣି ନେଉଥିଲେ ଏବଂ ପ୍ରୋତ୍ସାହନ ଦେଉଥିଲେ। ଅଭିଭାବକମାନଙ୍କ ଦ୍ୱାରା ଚଳିତ ଗୁପୁଚୁପୁ, ଦହିବରା, ଚଣାମସଲା, ସ୍ୱିଟକର୍ଣ୍ଣ ଓ ଝାଲମୁଢି ଦୋକାନ ସମଗ୍ର ପ୍ରାଙ୍ଗଣକୁ ମିନି ମିନାବଜାରର ଆକୃତି ଦେଇଥିଲା।
ଏହି ଉତ୍ସବରେ ସହଭାଗ ହୋଇଥିବା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରେ ଏମ୍.ଡି. ସରିଫ, ପଦ୍ମ ଚରଣ, ପଦ୍ମିନୀ ପାଢ଼ୀ, ସୁଚିସ୍ମିତା ମହାନ୍ତି, ଉଦୟ ଶଙ୍କର ଜାନୀ, ଗୋପାଳ ସାମନ୍ତରାୟ, ରାମନାଥ ତ୍ରିପାଠୀ, କିଶୋର ତ୍ରିପାଠୀ, ରାଧାମହନ ପଣ୍ଡା ଓ ଲାଲୁ ମିଶ୍ର ପ୍ରମୁଖ ଥିଲେ।
କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ ନିରଞ୍ଜନ ପାଣିଗ୍ରାହୀ ଓ ସଭାପତି ଅନୁପ କୁମାର ସାମନ୍ତରାୟ, ଯେଉଁଠାରେ ବିଦ୍ୟାଳୟ ଅଧ୍ୟକ୍ଷା ରିତାଲି ସାହୁ ଓ ଶିକ୍ଷୟତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ ଜୋଗାଇ ଅନୁଷ୍ଠାନକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *