“ଆମ ବଣଭୋଜି ସ୍ଥଳ, କରିବା ଆମେ ନିର୍ମଳ”: ବୋରିଗୁମ୍ମା ବନବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ସଫେଇ

ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଦଣ୍ଡାବାଡ଼ ଇକୋ ଟୁରିଜମ ଓ ରାଣୀ ପାର୍କରେ ବ୍ୟାପକ ସଚେତନତା

ବୋରିଗୁମ୍ମା, ୧୧।୧ : ବୋରିଗୁମ୍ମା ବନାଞ୍ଚଳ ପକ୍ଷରୁ ପରିବେଶ ସୁରକ୍ଷା ଓ ପର୍ଯ୍ୟଟନ ସ୍ଥଳୀକୁ ସ୍ୱଚ୍ଛ ରଖିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ବୋରିଗୁମ୍ମା ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦଣ୍ଡାବାଡ଼ ଇକୋ ଟୁରିଜମ ଓ ରାଣୀ ପାର୍କ ପରିସରକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ (ରେଞ୍ଜର) ଡମ୍ବୁରୁଧର ଗମାଙ୍ଗଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।
ଦଣ୍ଡାବାଡ଼ ଇକୋ ଟୁରିଜମରେ ସଫେଇ ଓ ସଚେତନତା
ବର୍ତ୍ତମାନ ପିକନିକ ବା ବଣଭୋଜି ଋତୁ ଚାଲିଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ପର୍ଯ୍ୟଟକ ଦଣ୍ଡାବାଡ଼ ଇକୋ ଟୁରିଜମକୁ ଆସୁଛନ୍ତି। ପର୍ଯ୍ୟଟକମାନେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ ସାମଗ୍ରୀ ପରିବେଶକୁ ଦୂଷିତ କରୁଥିବାରୁ ବନବିଭାଗ ପକ୍ଷରୁ “ଆମ ବଣଭୋଜି ସ୍ଥଳ, କରିବା ଆମେ ନିର୍ମଳ” ବାର୍ତ୍ତା ଦିଆଯାଇଛି। କାଠରଗଡ଼ା ଫରେଷ୍ଟର ସୁଦାମ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଗୁରୁକୃପା ବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀ, ଦଣ୍ଡାବାଡ଼ ଗ୍ରାମବାସୀ ଏବଂ ପିଏନଜିଓ ଷ୍ଟାଫ୍ ସାମିଲ ହୋଇ ପୁରା ଅଞ୍ଚଳକୁ ସଫା କରିଥିଲେ।
ରାଣୀ ପାର୍କରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ସେହିପରି ବୋରିଗୁମ୍ମା ନିକଟସ୍ଥ ରାଣୀ ପାର୍କଠାରେ ମଧ୍ୟ ବନାଞ୍ଚଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ସହ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଛି। ଏଥିରେ ଜଡ଼ାପୁଟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବନ ବିଭାଗ କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବୋରିଗୁମ୍ମା ଫରେଷ୍ଟର ମନୋଜ ମହାପାତ୍ର, କାଠରଗଡ଼ା ଫରେଷ୍ଟର ସୁଦାମ ଶତପଥୀ, ଫରେଷ୍ଟର ବନ୍ଧୁ ଖୁଲଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ପ୍ରକୃତିର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ। ପରିବେଶକୁ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ ବୋଲି ବିଭାଗ ପକ୍ଷରୁ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *