ବ୍ରହ୍ମପୁର, ୧୩/୦୧: ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଆଧାର ଅପରେଟରମାନଙ୍କୁ ଶୋଷଣ ଓ ଆର୍ଥିକ ଠକେଇ କରାଯାଉଥିବା ଅଭିଯୋଗ କରି ଆଜି ଶତାଧିକ ଅପରେଟର ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ବ୍ଲୁମ୍ ସୋଲୁସନ ପ୍ରାଇଭେଟ୍ ଲିମିଟେଡ୍’ (BLOOM Solution Pvt. Ltd.) ନାମକ ସଂସ୍ଥାର ମନୋମୁଖୀ ଶାସନ ଓ ଶ୍ରମ ବିରୋଧୀ ନୀତି ବିରୋଧରେ ଏହି ପ୍ରତିବାଦ କରାଯାଇଛି।
ଉପ-ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଓ ୧୧ ଦଫା ଦାବି
ଆନ୍ଦୋଳନକାରୀମାନେ ଉପ-ଜିଲ୍ଲାପାଳଙ୍କୁ ଏକ ୧୧ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ରହିଛି:
କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ୟୁ. ଶ୍ରୀନିବାସ ଓ ଷ୍ଟେଟ୍ କୋଅର୍ଡିନେଟର ଆଇ. ରାମା ରାଓଙ୍କ ବିରୋଧରେ ତୁରନ୍ତ FIR ରୁଜୁ ଓ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ।
ଶ୍ରୀ ଶିବା ସତ୍ୟମଙ୍କୁ ସମ୍ମାନର ସହ ପୁନଃ ନିଯୁକ୍ତି ଓ ପଦୋନ୍ନତି ପ୍ରଦାନ।
ବେଆଇନ ‘୧୫୬ ଆଧାର ଟାର୍ଗେଟ’ ନିୟମକୁ ତୁରନ୍ତ ପ୍ରତ୍ୟାହାର।
ବକେୟା ଦରମା ପ୍ରଦାନ ସହ ସିକ୍ୟୁରିଟି ଡିପୋଜିଟ୍ ଓ ନବୀକରଣ ଶୁଳ୍କ ଫେରସ୍ତ।
ଶ୍ରମ ଆଇନ ଅନୁଯାୟୀ EPF, ESI ସୁବିଧା ଏବଂ ସ୍ଥାୟୀ ଦରମା ପ୍ରଣାଳୀ ଲାଗୁ।
ଥାନାରେ ଅଭିଯୋଗ ଓ ଶ୍ରମ ଶୋଷଣର ଗୁରୁତର ଅଭିଯୋଗ
ପ୍ରତିବାଦ ପରେ ଅପରେଟରମାନେ ବୈଦ୍ୟନାଥପୁର ଥାନାରେ ମଧ୍ୟ ଅଭିଯୋଗ ରୁଜୁ କରିଛନ୍ତି। ଗଞ୍ଜାମ ଜିଲ୍ଲା ଆଧାର ଅପରେଟର ସଂଘର ନେତୃତ୍ୱ ଜ୍ଞାନ ରଞ୍ଜନ ସାହୁଙ୍କ କହିବା ଅନୁଯାୟୀ, କମ୍ପାନୀ ଅବୈଧ ଭାବେ ୪୦ ହଜାରରୁ ଅଧିକ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ ରଖି ଫେରାଉ ନାହିଁ। ଏଥିସହ TDS ଓ GST କଟୋତିର କୌଣସି ସଠିକ୍ ହିସାବ ଦିଆଯାଉ ନାହିଁ। ଟାର୍ଗେଟ୍ ପୂରଣ ନହେଲେ ଦରମା ଅଟକାଇବା ଓ କାମରୁ ବାହାର କରିଦେବା ଭଳି ମାନସିକ ନିର୍ଯାତନା ଦିଆଯାଉଛି।
ଆଗକୁ ଆନ୍ଦୋଳନ ତୀବ୍ର ହେବା ଚେତାବନୀ
ସଂଘର ସଦସ୍ୟ ସନ୍ତୋଷ ସାହୁ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନଙ୍କୁ ତୁରନ୍ତ ନ୍ୟାୟ ନମିଳେ, ତେବେ ଏହି ଆନ୍ଦୋଳନକୁ ଆଗାମୀ ଦିନରେ ରାଜ୍ୟ ସ୍ତରକୁ ନିଆଯିବ। କମ୍ପାନୀର ଏଭଳି ସ୍ୱେଚ୍ଛାଚାରୀ ନୀତି ବିରୋଧରେ ସରକାର ଦୃଢ଼ ପଦକ୍ଷେପ ନେଇ ବ୍ଲୁମ୍ ସୋଲୁସନକୁ ଓଡ଼ିଶାରୁ ହଟାଇବା ପାଇଁ ସେମାନେ ଦାବି କରିଛନ୍ତି। ଆଜିର ଏହି ପ୍ରତିବାଦରେ ଶତାଧିକ କାର୍ଯ୍ୟରତ ଆଧାର ଅପରେଟର ସାମିଲ ହୋଇଥିଲେ।
ବ୍ଲୁମ୍ ସୋଲୁସନ କମ୍ପାନୀ ବିରୋଧରେ ଶତାଧିକ ଆଧାର ଅପରେଟରଙ୍କ ଗର୍ଜନ
