ମାଲକାନଗିରି ଆଇନ ଶୃଙ୍ଖଳା ସ୍ଥିତି: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଉପୁଜିଥିବା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ବିଭିନ୍ନ ଦିଗକୁ ତର୍ଜମା କରିବା ପରେ ଉଭୟ ମନ୍ତ୍ରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ରିପୋର୍ଟ ଦେଇଛନ୍ତି।
ରିପୋର୍ଟ ପ୍ରଦାନ ପରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେମାନେ ମାଲକାନଗିରିରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ସହ ଉଭୟ ସମ୍ପ୍ରଦାୟର ଲୋକଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ସେହି ଆଲୋଚନା ଏବଂ ଘଟଣାର ସରଜମିନ୍ ତଦନ୍ତ ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।
ମନ୍ତ୍ରୀ ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ସମ୍ପ୍ରଦାୟ ବର୍ତ୍ତମାନ ଶାନ୍ତି ଚାହୁଁଛନ୍ତି ଏବଂ ଜିଲ୍ଲା ତଥା ପୋଲିସ ପ୍ରଶାସନ ସହିତ ଆଲୋଚନା ସକାରାତ୍ମକ ରହିଛି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ମାଲକାନଗିରିରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ସ୍ଥିତି ଅନୁଧ୍ୟାନ ସମୟରେ ଅନେକ କାରଣ ରହିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ରିପୋର୍ଟକୁ ଭିତ୍ତି କରି ଉଚିତ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *