ସେମିଳିଗୁଡ଼ା : କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ଦଳ ପକ୍ଷରୁ ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ହାନଗାଡେନ୍ ଠାରେ ଏକ ଭବ୍ୟ ନବବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ଆମନ୍ତ୍ରଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା।
ହେଭିୱେଟ୍ ନେତାଙ୍କ ସମାଗମ:
ଏହି ଉତ୍ସବରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାନ୍ତା, ଜିଲ୍ଲା କଂଗ୍ରେସ ସଭାପତି ରୂପ ତୁରୁକ, ଜିଲ୍ଲା ଏସି ସେଲ୍ ଚେୟରମ୍ୟାନ୍ ରମେଶ ଖରା ଏବଂ କୋରାପୁଟ ବିଧାୟକ ପାର୍ଥୀ କୁର୍ଜୁନ କୁଲଦୀପ ପ୍ରମୁଖ ଉପସ୍ଥିତ ରହି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକର କଂଗ୍ରେସ ପ୍ରତିନିଧି, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଏବଂ ପୂର୍ବତନ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଯୋଗ ଦେଇଥିଲେ।
ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି:
ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା। ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସ୍ତର ପର୍ଯ୍ୟନ୍ତ ସଂଗଠନକୁ ଅଧିକ ଶକ୍ତିଶାଳୀ ଓ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ନେତାମାନେ ମତ ପ୍ରକାଶ କରିଥିଲେ। ହାନଗାଡେନ୍ ପରିସରରେ ପ୍ରାୟ ୬ରୁ ୭ ହଜାର ଦଳୀୟ କର୍ମୀଙ୍କ ଉପସ୍ଥିତି ଏକ ଶୈଳୀ ସୃଷ୍ଟି କରିଥିଲା।
କଂଗ୍ରେସରେ ସହସ୍ରାଧିକ କର୍ମୀଙ୍କ ମିଶ୍ରଣ:
ଏହି ଅବସରରେ ବିରୋଧୀ ବିଜେଡି ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ବିଜେଡିର କିଛି ସହସ୍ରାଧିକ କର୍ମୀ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି। ଏହି ମିଶ୍ରଣ ପର୍ବ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
ସେମିଳିଗୁଡ଼ାରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସର ଭବ୍ୟ ନବବର୍ଷ ବନ୍ଧୁମିଳନ: ସାମିଲ ହେଲେ ହଜାର ହଜାର କର୍ମୀ
