ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଘେରିଲା ବିଜେଡି ଧାନ କ୍ରୟ ବିଳମ୍ବକୁ ନେଇ ଜୟପୁରରେ ଧାରଣା ଓ ବିକ୍ଷୋଭ।

ଜୟପୁର, ୨୮/୧୨ : ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟାରେ ଭୟାବହ ବିଳମ୍ବ ଓ ଚାଷୀଙ୍କ ହେନସ୍ତାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଗୁରୁତର ଅଭିଯୋଗ ଆଣାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନନ୍ଦଙ୍କ ଆହ୍ୱାନକ୍ରମେ ଗୁରୁବାର ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଖାଉଟି ଓ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରତିବାଦକାରୀମାନେ କାର୍ଯ୍ୟାଳୟକୁ ଧସେଇ ପ୍ରବେଶ କରି ଯୋଗାଣ ବ୍ୟବସ୍ଥା ବିରୋଧରେ ନାରାବାଜି କରିଥିଲେ।
ଏହି ଧାରଣାରେ ବିଜେଡି ଜିଲ୍ଲା ଉପସଭାପତି ଦୁର୍ଗା ମିଶ୍ର, ବରିଷ୍ଠ ନେତା ବାଲା ରାୟ, ନାଗୁ ଦୋରା, ବାଲିଙ୍କି ରାଓ, ରାଜା ପାଢ଼ୀ, ଟୁନା ରଥ, ଶିଳ୍ପା ପାଣି, ଆରକୁଲା ଶ୍ରୀନିବାସ ରାଓ ସହ ଅନେକ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।
ବିଜେଡି ନେତାମାନେ କହିଥିଲେ ଯେ ଡିଏଲପିସି ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାରେ ଗତ ୧୧ ତାରିଖରେ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଠିକ୍ ଭାବେ ଧାନ କ୍ରୟ ଆରମ୍ଭ ହୋଇନାହିଁ। ଏହାର ପରିଣାମ ସ୍ୱରୂପ ଅଭାବୀ ଚାଷୀମାନେ ବାଧ୍ୟ ହୋଇ କମ୍ ମୂଲ୍ୟରେ ଧାନ ବିକ୍ରୀ କରୁଛନ୍ତି।
ମିଲରମାନେ ଧାନକୁ ପଡ଼ୋଶୀ ରାଜ୍ୟକୁ ବିକ୍ରୀ କରୁଥିବା ବେଳେ ମିଲ୍‌ଗୁଡ଼ିକର ଷ୍ଟକ୍ ଯାଞ୍ଚ କରିବାରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିଛି ବୋଲି ବିଜେଡି ଅଭିଯୋଗ କରିଛି। ଚଳିତ ବର୍ଷ ଲ୍ୟାମ୍ପସ ଓ ପାଣି ପଞ୍ଚାୟତ ଜରିଆରେ ଧାନ କ୍ରୟ କରିବାକୁ ସରକାରୀ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସେମାନଙ୍କୁ ଟାର୍ଗେଟ ନିର୍ଦ୍ଧାରଣ କରିବାରେ ଜିଲ୍ଲା ଯୋଗାଣ ଅଧିକାରୀ ବିଳମ୍ବ କରୁଛନ୍ତି ବୋଲି କୁହାଯାଇଛି।
ବିଜେଡି ନେତାମାନେ ଆହୁରି କହିଥିଲେ ଯେ ଜିଲ୍ଲାରେ ମାତ୍ର ୨୦ ପ୍ରତିଶତ ଚାଷୀଙ୍କୁ ଟୋକେନ ମିଳିଥିବା ବେଳେ ୮୦ ପ୍ରତିଶତ ଚାଷୀ ଏପର୍ଯ୍ୟନ୍ତ ଟୋକେନରୁ ବଞ୍ଚିତ ରହିଛନ୍ତି। ଯୋଗାଣ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସଫାଇକୁ ବିଜେଡି ଅସ୍ୱୀକାର କରି ଯଥାଶୀଘ୍ର ସମସ୍ତ ଚାଷୀଙ୍କୁ ଟୋକେନ ଯୋଗାଇଦେବାକୁ ଦାବି କରିଛି।
ଚଳିତ ବର୍ଷ କଟନି–ଛଟନି ନୀତିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ଅଖା ଯଥାପ୍ରକାରେ ଯୋଗାଇ ଦେବାକୁ ବିଜେଡି ପକ୍ଷରୁ ଜୋରଦାର ଦାବି ଉଠାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ନେତାମାନେ ସଚେତନ କରାଇଛନ୍ତି।

Leave a Reply

Your email address will not be published. Required fields are marked *