ହର୍ଦଳି ଏସ୍‌.ଏସ୍‌.ଡି. ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ହର୍ଦଳି ଏସ୍‌.ଏସ୍‌.ଡି. ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ବୋରିଗୁମ୍ମା : ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ହର୍ଦଳି ଏସ୍‌.ଏସ୍‌.ଡି. ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷୀକେଶ ସାହୁଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଆମ୍ବ, ପଣସ, କରଞ୍ଜ, ବେଲ ଓ ଲିମ୍ବ ଭଳି ବିଭିନ୍ନ ଫଳଜ ଏବଂ ଔଷଧୀୟ ବୃକ୍ଷର ଚାରା ରୋପଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା, ବନ ସମ୍ପଦର ସଂରକ୍ଷଣ ଏବଂ ଅଧିକରୁ ଅଧିକ ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି କରିବା ପାଇଁ ସଚେତନତାର ବାର୍ତ୍ତା ଦିଆଯାଇଥିଲା।
ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ଗଛ ହେଉଛି ଜୀବନର ଆଧାର। ପରିବେଶର ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସବୁଜ ପରିବେଶ ଗଢ଼ି ତୋଳିବାରେ ବୃକ୍ଷରୋପଣର ଭୂମିକା ଅପରିହାର୍ଯ୍ୟ। ଶେଷରେ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ସହ ସେଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।

Leave a Reply

Your email address will not be published. Required fields are marked *