
ଜୟପୁର, ୨୮ /୦୧ :କୃଷକଙ୍କ ସ୍ୱାର୍ଥ ରକ୍ଷା, ଉଚିତ ମୂଲ୍ୟ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଦିଆଯାଇଥିବା ରାଜ୍ୟବ୍ୟାପୀ ବନ୍ଦ ଡାକରାର ସ୍ପଷ୍ଟ ପ୍ରଭାବ ଜୟପୁର ସହରରେ ଦେଖିବାକୁ ମିଳିଛି। ଚାଷୀଙ୍କ ହକ ପାଇଁ ଆୟୋଜିତ ଏହି ଆନ୍ଦୋଳନ ଯୋଗୁଁ ସହରର ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଥିଲା।ଖାଲି ପଡ଼ିଥିଲା ରାଜପଥ, ବନ୍ଦ ରହିଥିଲା ବଜାରବନ୍ଦର ପ୍ରଭାବରେ ଜୟପୁର ସହରର ମୁଖ୍ୟ ରାସ୍ତାଗୁଡ଼ିକ ଶୂନଶାନ ଦେଖାଯାଇଥିଲା। ବ୍ୟବସାୟୀ ସଂଘ ପକ୍ଷରୁ ସ୍ୱେଚ୍ଛାକୃତ ଭାବେ ଦୋକାନ ବଜାର ବନ୍ଦ ରଖାଯାଇ କୃଷକ ସଂଗଠନକୁ ସମର୍ଥନ ଜଣାଇଥିଲେ। ସେହିପରି ପରିବହନ ସେବା ମଧ୍ୟ ସୀମିତ ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ, ହସ୍ପିଟାଲ ଏବଂ ମେଡିକାଲ ଷ୍ଟୋର ଗୁଡ଼ିକୁ ଏହି ବନ୍ଦରୁ ମୁକ୍ତ ରଖାଯାଇଥିଲା।ସଂଗଠନର ଦାବିନବ ନିର୍ମାଣ କୃଷକ ସଂଗଠନର ନେତୃବୃନ୍ଦଙ୍କ କହିବା ଅନୁଯାୟୀ, “ଚାଷୀଙ୍କୁ ଶୋଷଣ କରାଯାଉଛି। ଫସଲର ଉଚିତ ଲାଭଦାୟକ ମୂଲ୍ୟ ପ୍ରଦାନ, କୃଷି ସାମଗ୍ରୀର ଆକାଶଛୁଆଁ ଦର ନିୟନ୍ତ୍ରଣ ଏବଂ ଚାଷୀ ବିରୋଧୀ ନୀତିର ପ୍ରତ୍ୟାହାର ଆମର ମୁଖ୍ୟ ଦାବି।” ସରକାର ଯଦି ତୁରନ୍ତ ଏହି ସମସ୍ୟାର ସମାଧାନ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ିବନ୍ଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ନଉପୁଜେ, ସେଥିପାଇଁ ଜୟପୁର ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶାନ୍ତିଶୃଙ୍ଖଳାର ସହ ବନ୍ଦ ପାଳିତ ହୋଇଥିବା ବେଳେ ଏହା ସରକାରଙ୍କ ନିକଟରେ କୃଷକଙ୍କ ସ୍ୱର ପହଞ୍ଚାଇବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି।
