ପୁରୀ ଶ୍ରୀକ୍ଷେତ୍ରର ଅଲୌକିକ ଚମତ୍କାର: ଯେବେ ଭକ୍ତ ତୁଳସୀଦାସଙ୍କ ପାଇଁ ଶ୍ରୀଜଗନ୍ନାଥ ସାଜିଲେ ଶ୍ରୀରାମ

ପୁରୀ ଶ୍ରୀକ୍ଷେତ୍ରର ଅଲୌକିକ ଚମତ୍କାର: ଯେବେ ଭକ୍ତ ତୁଳସୀଦାସଙ୍କ ପାଇଁ ଶ୍ରୀଜଗନ୍ନାଥ ସାଜିଲେ ଶ୍ରୀରାମ


ପୁରୀ: ଭଗବାନ ଓ ଭକ୍ତର ସମ୍ପର୍କ ଅତୁଟ। ଯେତେବେଳେ ଜଣେ ଭକ୍ତ ନିଜ ଆରାଧ୍ୟଙ୍କୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ଡାକେ, ସେତେବେଳେ ସ୍ୱୟଂ ଭଗବାନ ମଧ୍ୟ ନିଜର ରୂପ ବଦଳାଇ ଧରାବତରଣ କରନ୍ତି। ଶ୍ରୀକ୍ଷେତ୍ର ପୁରୀ ଧାମରେ ଭକ୍ତ କବି ସନ୍ଥ ତୁଳସୀଦାସଙ୍କ ସହ ଘଟିଥିବା ଏକ ଅଲୌକିକ ଘଟଣା ଆଜି ବି ଶ୍ରଦ୍ଧାଳୁଙ୍କ ମନରେ ଭକ୍ତିର ଜୁଆର ସୃଷ୍ଟି କରେ।
ତୁଳସୀଦାସଙ୍କ ଶ୍ରୀକ୍ଷେତ୍ର ଆଗମନ ଓ ମନସ୍ତାପ
ଶ୍ରୀରାମଙ୍କ ପରମ ଭକ୍ତ ତୁଳସୀଦାସ ମହାରାଜ ଯେତେବେଳେ ଶୁଣିଲେ ଯେ ଜଗନ୍ନାଥ ପୁରୀରେ ପ୍ରଭୁ ସାକ୍ଷାତ ଦର୍ଶନ ଦିଅନ୍ତି, ସେ ଅତ୍ୟନ୍ତ ଆନନ୍ଦିତ ହୋଇ ପୁରୀ ଆସିଥିଲେ। ମାତ୍ର ମନ୍ଦିର ଭିତରେ ପ୍ରଭୁଙ୍କ ହସ୍ତପଦବିହୀନ ଦାରୁ ମୂର୍ତ୍ତି ଦେଖି ସେ ନିରାଶ ହୋଇପଡ଼ିଥିଲେ। ସେ ଭାବିଲେ, “ମୋର ଆରାଧ୍ୟ ଧନୁର୍ଦ୍ଧାରୀ ରାଜୀବଲୋଚନ ଶ୍ରୀରାମ କେବେ ବି ଏହି ହସ୍ତପଦବିହୀନ ମୂର୍ତ୍ତି ହୋଇନପାରନ୍ତି।” ଏହି ଦୁଃଖରେ ସେ ମନ୍ଦିରରୁ ବାହାରି ଏକ ଗଛ ମୂଳେ ଭୋକ ଉପାସରେ ବସି ରହିଲେ।
ସ୍ୱୟଂ ଭଗବାନଙ୍କ ଆବିର୍ଭାବ
ରାତିରେ ଏକ ଛୋଟ ବାଳକ ହାତରେ ମହାପ୍ରସାଦ ଥାଳି ଧରି ତୁଳସୀଦାସଙ୍କ ନିକଟରେ ପହଞ୍ଚିଥିଲା। ବାଳକଟି ମହାପ୍ରସାଦ ଗ୍ରହଣ କରିବାକୁ କହିବାରୁ ତୁଳସୀଦାସ ମନା କରି କହିଥିଲେ, “ମୁଁ ମୋର ପ୍ରଭୁ ଶ୍ରୀରାମଙ୍କୁ ଭୋଗ ନଲଗାଇ କିଛି ଗ୍ରହଣ କରେନାହିଁ ଏବଂ ଜଗନ୍ନାଥଙ୍କ ଅଇଁଠା ପ୍ରସାଦ ମୁଁ ରାମଙ୍କୁ ସମର୍ପି ପାରିବି ନାହିଁ।”
ବାଳକଟି ହସି ହସି କହିଥିଲା, “ଆପଣ ତ ଶ୍ରୀରାମଚରିତ ମାନସରେ ଲେଖିଛନ୍ତି– ବିନୁ ପଦ ଚଳଇ ସୁନଇ ବିନୁ କାନା, କର ବିନୁ କର୍ମ କରଇ ବିଧି ନାନା। ତେବେ ଆପଣ ପ୍ରଭୁଙ୍କର ଏହି ରୂପକୁ ଚିହ୍ନି ପାରୁନାହାଁନ୍ତି କାହିଁକି?” ଏହା ଶୁଣି ତୁଳସୀଦାସ ସ୍ତବ୍ଧ ହୋଇଯାଇଥିଲେ ଏବଂ ବାଳକଟି ଶ୍ରୀରାମ ରୂପରେ ଦର୍ଶନ ଦେଇ ଅଦୃଶ୍ୟ ହୋଇଯାଇଥିଲେ।
ଶ୍ରୀରାମ ରୂପରେ ଶ୍ରୀଜଗନ୍ନାଥ
ପରଦିନ ପ୍ରାତଃ କାଳରେ ଯେତେବେଳେ ସେ ଦର୍ଶନ ପାଇଁ ମନ୍ଦିରକୁ ଗଲେ, ସେ ଚକିତ ହୋଇ ଦେଖିଲେ ଯେ ରତ୍ନସିଂହାସନରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପରିବର୍ତ୍ତେ ସ୍ୱୟଂ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା ବିରାଜମାନ କରିଛନ୍ତି। ଭକ୍ତର ଇଚ୍ଛା ପୂରଣ ପାଇଁ ମହାପ୍ରଭୁ ଶ୍ରୀରାମ ରୂପ ଧାରଣ କରିଥିଲେ।
ଇତିହାସର ସ୍ମୃତି: ତୁଳସୀ ଚଉରା
ପୁରୀର ଯେଉଁ ସ୍ଥାନରେ ତୁଳସୀଦାସ ମହାରାଜ ସେହି ରାତି କାଟିଥିଲେ, ତାହା ପରବର୍ତ୍ତୀ ସମୟରେ ‘ତୁଳସୀ ଚଉରା’ ନାମରେ ପ୍ରସିଦ୍ଧ ହେଲା ଏବଂ ସେଠାରେ ‘ବଡ଼ଛତା ମଠ’ ସ୍ଥାପିତ ହୋଇଛି। ପ୍ରଭୁଙ୍କ ଏହି ଅଲୌକିକ ଲୀଳା ଆଜି ବି ଜଗନ୍ନାଥ ଓ ଶ୍ରୀରାମଙ୍କ ଅଭେଦ ସମ୍ପର୍କର ସୂଚନା ଦିଏ।

Leave a Reply

Your email address will not be published. Required fields are marked *