
କୋରାପୁଟ, ୨/୧୨, ବୋରିଗୁମ୍ମା , ରାଜ୍ୟ ଶିକ୍ଷକ ସଂଘର ଆନ୍ଦୋଳନ ଡାକରାକୁ ସମର୍ଥନ ଜଣାଇ ବୋରିଗୁମ୍ମା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଏକ ବିଶାଳ ରାଲି ଆୟୋଜନ କରାଯାଇଛି। ଶିକ୍ଷକ ସଂଘର ସଦସ୍ୟମାନେ ସ୍ଥାନୀୟ ରାମ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।
ଏହି ପଦଯାତ୍ରା ପରେ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁବାସ ମାଝିଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।
ଶିକ୍ଷକ ସଂଘର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ଅଷ୍ଟମ ବେତନ ସୁପାରିଶ ପୂର୍ବରୁ ପ୍ରାଥମିକ ଶିକ୍ଷକମାନଙ୍କ ମୂଳ ପଦବୀକୁ ଅପଗ୍ରେଡ୍ କରି ଲେଭେଲ୍-୯ର ଦରମା ପ୍ରଦାନ କରିବା, ଠିକା ପ୍ରଥାକୁ ତୁରନ୍ତ ଉଚ୍ଛେଦ କରିବା ଏବଂ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହିତ ଛଅ ଗୋଟି ନୋସନାଲ୍ ଇଂକ୍ରିମେଣ୍ଟ (Notional Increment) ପ୍ରଦାନ କରିବା ଆଦି ଅନ୍ତର୍ଭୁକ୍ତ।
ବିଭିନ୍ନ ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାର ସମ୍ଭାବନା ରହିଛି।
