ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିନରେ ଗଞ୍ଜାମ ଓ ବାଲେଶ୍ୱର ଦଳ ବିଜୟୀ

କୋରାପୁଟ, ୪/୧୧ , କୋରାପୁଟ ବାର ଆସୋସିଏସନ୍ ଦ୍ୱାରା ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିନ ମଙ୍ଗଳବାର ଆୟୋଜିତ ଦୁଇଟି ରୋମାଞ୍ଚକ ମ୍ୟାଚ୍‌ରେ ଗଞ୍ଜାମ ଓ ବାଲେଶ୍ୱର ବାର ଦଳ ବିଜୟ ହାସଲ କରିଛନ୍ତି।
ଏହି ଦିନରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ଓ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଉପସ୍ଥିତ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରଥମ ମ୍ୟାଚରେ ଗଞ୍ଜାମ ବାର ଆସୋସିଏସନ୍ ଓ ହାଇକୋର୍ଟ ବାର ଆସୋସିଏସନ୍‌ର ବି ଟିମ୍‌ ମଧ୍ୟରେ ମୁକାବିଲା ହୋଇଥିଲା। ହାଇକୋର୍ଟ ବି ଟିମ୍ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଲେ, କିନ୍ତୁ ସେମାନେ ୧୦.୩ ଓଭରରେ କେବଳ ୨୩ ରନ୍‌ରେ ସୀମିତ ହୋଇଯାଇଥିଲେ। ପ୍ରତିଦାନରେ ଗଞ୍ଜାମ ଦଳ ୨.୫ ଓଭରରେ ୨୪ ରନ୍ କରି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଲେ। ଗଞ୍ଜାମ ଦଳର ଦିପଙ୍କର ମହାନ୍ତି ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ‘ମ୍ୟାନ ଅଫ ଦି ମ୍ୟାଚ୍’ ଘୋଷିତ ହୋଇଥିଲେ।
ଦ୍ୱିତୀୟ ମ୍ୟାଚ୍ ବାଲେଶ୍ୱର ବାର ଆସୋସିଏସନ୍ ଓ ହାଇକୋର୍ଟ ବାର ଏ ଟିମ୍‌ ମଧ୍ୟରେ ଖେଳା ଯାଇଥିଲା। ହାଇକୋର୍ଟ ଟିମ୍ ଟସ ଜିତି ପ୍ରଥମେ ଫିଲ୍ଡିଂ ନେଲେ। ବାଲେଶ୍ୱର ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ଟି ୱିକେଟ୍ ହରାଇ ୨୦୩ ରନ୍ ସଂଗ୍ରହ କଲେ। ପ୍ରତିଦାନରେ ହାଇକୋର୍ଟ ବାର ଏ ଟିମ୍ ୨୦ ଓଭରରେ ୬ ୱିକେଟ୍‌ରେ ୧୬୫ ରନ୍ କରିଥିଲେ। ଏହିପରିସ୍ଥିତିରେ ବାଲେଶ୍ୱର ବାର ଆସୋସିଏସନ୍ ୩୮ ରନ୍‌ରେ ବିଜୟୀ ହୋଇଥିଲେ। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ବାଲେଶ୍ୱର ଦଳର ସରୋଜ କୁମାର ବେହେରାଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା।
ଖେଳ ପରିଚାଳନା ଓସିଏ ପ୍ୟାନେଲ ଅମ୍ପାୟାର ଅସିତ ପଟ୍ଟନାୟକ ଓ ରମେଶ ସ୍ୱାଇଁ କରିଥିଲେ।
ଆୟୋଜନରେ କୋରାପୁଟ ବାର ଆସୋସିଏସନ୍‌ର ସଭାପତି ପ୍ରଭାତ ମହାପାତ୍ର, ସମ୍ପାଦକ ସୁନୀଲ କୁମାର ଜେନା, ଉପସଭାପତି କୃଷ୍ଣ ସ, ମିଡିଆ ପରାମର୍ଶଦାତା ଅଶୋକ କୁମାର ଷଡଙ୍ଗୀ, ବାର କାଉନସିଲ ସଦସ୍ୟ ପି. ରମେଶ ପାତ୍ର ସହିତ ବରିଷ୍ଠ ଓକିଲମାନେ ଟି.ଏନ୍. ମୂର୍ତ୍ତି, ନିହାର ରଞ୍ଜନ ପଟ୍ଟନାୟକ, ବିଦ୍ୟାଧର ସାହୁ, ମନୋରଞ୍ଜନ ରାଉତରାୟ, ଶିଶିର ବିଶ୍ୱାଳ, କମଳ କୁମାର ଖରା, ନୂପେନ୍ଦ୍ର ନାରାୟଣ ବାଘ ଓ ପ୍ରଶାନ୍ତ ପାତ୍ର ଉପସ୍ଥିତ ଥିଲେ।
ଏହି କ୍ରିକେଟ ଟୁର୍ନାମେଣ୍ଟ ରେ କୋରାପୁଟ ବାର ସଂଘର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ସକ୍ରିୟ ସହଭାଗିତା ରହିଥିଲା।

Leave a Reply

Your email address will not be published. Required fields are marked *