ବନବାସୀ କଲ୍ୟାଣ ଆଶ୍ରମର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ
କୋରାପୁଟ, ୨୧ /୧୦, ଶୀତ ଋତୁ ପୂର୍ବରୁ ଅସହାୟ ଓ ଅବହେଳିତ ଗ୍ରାମବାସୀଙ୍କ ସହାୟତା ପାଇଁ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶା ତରଫରୁ ଏକ ସୁନିଯୋଜିତ ମାନବିକ ପଦକ୍ଷେପ ଗ୍ରହଣ କରାଯାଇଛି। ରମେଶ ଚନ୍ଦ୍ର ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ, ନୂଆଦିଲ୍ଲୀଙ୍କ ସହଯୋଗରେ କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକର ଇନ୍ଦ୍ରଗୁଡା ଓ ବୈପାରୀଗୁଡ଼ା ବ୍ଲକର ନନ୍ଦନମାଳ ଗ୍ରାମରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଏହି ଅବସରରେ ପ୍ରାୟ ଶହେ ପରିବାର ଉପକୃତ ହୋଇଥିଲେ। ଶୀତ ଆରମ୍ଭ ପୂର୍ବରୁ ଗ୍ରାମୀଣ ଅଞ୍ଚଳର ବନବାସୀ ଓ ଅବହେଳିତ ପରିବାରମାନଙ୍କୁ ଚିହ୍ନଟ କରି ଜୟପୁର ଶାଖା ତରଫରୁ ଏହି ଉଦ୍ୟମ ଗ୍ରହଣ କରାଯାଇଥିଲା।କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଜିଲ୍ଲା ସଭାପତି ବାଲାଜୀ ବେହେରା ଓ ନଗର ସଭାପତି ଶଶୀଭୁଷଣ ପଟ୍ଟନାୟକ। ଏହା ସହିତ ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ବିଷୋୟୀ, ପ୍ରଭୁଦାନ ପ୍ରଜା, ପ୍ରଫୁଲ୍ଲ ବିଷୋୟୀ, ବିକାଶ ଚନ୍ଦ୍ର ଚୌଧୁରୀ, ପ୍ରତାପ ପଟ୍ଟନାୟକ, ଲୋକନାଥ ନାୟକ, ସୁନାମଣି ନାୟକ, ଉମା ନାୟକ, ବୃନ୍ଦାବତୀ ଭତ୍ରା, ଦହଣା ଘିଉରି, ସଦା ଭୂମିଆ ଓ ବିକାଶ ଚାଲାଣ ଆଦି ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଏହି ଅବସରରେ ବନବାସୀ କଲ୍ୟାଣ ଆଶ୍ରମ ଯୁବ ଆୟାମ ବିଭାଗର ପ୍ରାନ୍ତ ସଂଯୋଜକ ରତିକାନ୍ତ ସାହୁ ସଂଗଠନର ଲକ୍ଷ୍ୟ, କାର୍ଯ୍ୟଦିଗ ଓ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସହ ପ୍ରାନ୍ତ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସମାଜିକ ଆବଶ୍ୟକତା ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।
କାର୍ଯ୍ୟକ୍ରମର ଶେଷରେ ଅତିଥିମାନେ ଏହି ମାନବିକ ପଦକ୍ଷେପକୁ ସମାଜର ପାଇଁ ପ୍ରେରଣାଦାୟକ ବୋଲି ବିବେଚନା କରିଥିଲେ ଓ ଏହିପରି ସେବାମୂଳକ କାର୍ଯ୍ୟ ଆଗାମୀଦିନରେ ଆହୁରି ବିସ୍ତୃତ ହେବା ପାଇଁ ଆଶୀର୍ବାଦ ଓ ସୁଭେଚ୍ଛା ଜଣାଇଥିଲେ।
