ବୈଦ୍ୟୁତିକ ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ ଗାଁ ଗହଳି

କୋରାପୁଟ/ନନ୍ଦପୁର ,୨୨/୧୦, କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତର ଗ୍ରାମାଞ୍ଚଳର ସାହି, ଗଳି କନ୍ଦି, ଗାଁ ରାସ୍ତା, ହାଟ, ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ, ମନ୍ଦିର, ପର୍ଯ୍ୟଟନ ସ୍ଥଳୀରେ ସ୍ଥାପିତ ଷ୍ଟ୍ରିଟ ଲାଇଟ୍ (ଗଳି ଆଲୁଅ) ଦୀର୍ଘଦିନ ହେଲା ଅଚଳ ହୋଇ ରହିଛି। ସ୍ଥାପନ ପରବର୍ତ୍ତୀ ରକ୍ଷଣ ବେକ୍ଷଣ ଓ ମରାମତି ବ୍ୟବସ୍ଥା ନଥିବାରୁ ବର୍ତ୍ତମାନ ଗାଁ ଠୁ ସହର ସନ୍ଧ୍ୟା ହେବା ମାତ୍ରେ ଅନ୍ଧାରରେ ରହୁଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ସାଂସଦ ପାଣ୍ଠି, ବିଧାୟକ ପାଣ୍ଠି, କେନ୍ଦ୍ର ସରକାରଙ୍କ ଏସଏଲଏନପି ପାଣ୍ଠି, ରାଜ୍ୟ ସରକାରଙ୍କ ବିକେବିକେ ପାଣ୍ଠି, ବିଜୁ ଜ୍ୟୋତି, ଡିଆରଡିଏ, ଆଇଟିଡିଏ, ଡିପିଇପି, ବ୍ଲକ ଓ ପଞ୍ଚାୟତ ପାଣ୍ଠିରୁ ଏହି ଷ୍ଟ୍ରିଟ ଲାଇଟ ଗୁଡ଼ିକ ସ୍ଥାପନ ନିମନ୍ତେ କୋଟି କୋଟି ଟଙ୍କାର ବେୟ ବରାଦ କରାଯାଇଛି। କିନ୍ତୁ ସ୍ଥାପନର କିଛି ଦିନ ପରେ ସେଗୁଡିକ ଆଉ ଜଳୁନି। ଠିକାସଂସ୍ଥା କାର୍ଯ୍ୟ ହାତେଇବା ବେଳକୁ ମରାମତି (ମେଣ୍ଟେନେନ୍ସ) ଅବଧିର ପ୍ରତିଶ୍ରୁତି ଦେଇ ବିଲ ଟଙ୍କା ହାତେଇ ନେବା ପରେ ଆଉ ପ୍ରତିଶ୍ରୁତି ପାଳନ କରୁନାହିଁ। ଫଳରେ ଉପଯୁକ୍ତ ରକ୍ଷଣ ବେକ୍ଷଣ ଓ ମରାମତି ହେଉ ନଥିବାରୁ ଷ୍ଟ୍ରିଟ ଲାଇଟ ଗୁଡ଼ିକର ଅଚଳାବସ୍ଥା ଅଞ୍ଚଳକୁ ଅନ୍ଧାରମୟ କରିବା ସହ ଗାଁ ଗହଳିରେ ବୈଦ୍ୟୁତିକ ବର୍ଜ୍ୟବସ୍ତୁର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାସ୍ତା କଡ଼, ଅନୁଷ୍ଠାନ ପରିସରରେ ଗଳି ଆଲୁଅ ଖୁଣ୍ଟ ସ୍ଥାପିତ ହୋଇ ସ୍ଥାନ ମାଡ଼ି ବସୁଛନ୍ତି। ଯାହାର ନମୁନା ନନ୍ଦପୁର ବ୍ଲକ ସଦର ମହକୁମାର ୭ ସାହି, ରାଜଦାଣ୍ଡ, ବସଷ୍ଟାଣ୍ଡ, ମୁଖ୍ୟ ରାସ୍ତା ସମେତ ବ୍ଲକ ଅଞ୍ଚଳର ୨୩ ପଞ୍ଚାୟତରେ ଦେଖିବାକୁ ମିଳିଛି। ବ୍ଲକ ସଦର ମହକୁମାର ଐତିହାସିକ ବତ୍ରିସ ସିଂହାସନ ପରିସରରେ ସ୍ଥାପିତ ୫ ଗୋଟି ଗଳି ଆଲୁଅ ବହୁଦିନ ହେଲା ଅଚଳ ହୋଇ ରହିଛି। ସନ୍ଧ୍ୟା ହେଲେ ସିଂହାସନ ପରିସର ଅନ୍ଧାର ହେବା ସାଙ୍ଗକୁ ୫ ଖୁଣ୍ଟ ସିଂହାସନର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ନନ୍ଦପୁରର ୭ ସାହି ସମେତ ରାଜଦାଣ୍ଡରେ ସ୍ଥାପିତ ୬୦ରୁ ଉର୍ଦ୍ଧ ଷ୍ଟ୍ରିଟ ଲାଇଟ ମଧ୍ୟରୁ ୫୦ ରୁ ଉର୍ଦ୍ଧ ଲାଇଟ୍ ବର୍ତମାନ ଜଳୁନାହିଁ। ନନ୍ଦପୁର ବ୍ଲକର ୨୩ ପଞ୍ଚାୟତରେ କୋରାପୁଟ ଜିଲ୍ଲା ପରିଷଦ (ଡିଆରଡିଏ)ଙ୍କ ଦ୍ଵାରା ୬୯ ଗୋଟି ଗ୍ରାମରେ ଗ୍ରାମ ପିଛା ସ୍ଥାପିତ ୧୦ ଗୋଟି ଲାଇଟ୍ ଯଥା ୬୯୦ ଷ୍ଟ୍ରିଟ ଲାଇଟ ମଧ୍ୟରୁ ୫୦୦ ରୁ ଉର୍ଦ୍ଧ ଲାଇଟ ଅଚଳାବସ୍ଥାରେ ରହିଛି। ବିଶେଷ କରି ଗତ ୧୦ ବର୍ଷ ମଧ୍ୟରେ ସାଂସଦ ଓ ବିଧାୟକ ପାଣ୍ଠିରେ ସ୍ଥାପିତ ୨୦୦ ରୁ ଉର୍ଦ୍ଧ ଷ୍ଟ୍ରିଟ ଲାଇଟ ବର୍ତମାନ ବର୍ଜ୍ୟବସ୍ତୁ ପାଲଟିଛି। ଯାହାକୁ ଦେଖି ସ୍ଥାନୀୟ ବୁଦ୍ଧିଜୀବୀ, ଲୋକ ପ୍ରତିନିଧି ଓ ସାହି ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଚଳ ଗଳି ଆଲୁଅ ଗୁଡ଼ିକୁ ମରାମତି କରି ସଚଳ କରିବାକୁ ବ୍ୟବସ୍ଥା କରାଯାଉ। ମରାମତି ଯୋଗ୍ୟ ନଥିବା ଲାଇଟ ଓ ଖୁଣ୍ଟ ଦୁହିଁଙ୍କୁ ସ୍ଥାପନ ଜାଗାରୁ ହଟାଇ ଗାଁ ପରିମଳ ସୁଦୃଢ଼ କରିବାକୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।
