ଜୟପୁର ପୁଷ ପୁଣୀ ଚଳଚ୍ଚିତ୍ର ମହୋତ୍ସବରେ ‘ସହସି ବାଲିକା’ର ଚାରି ପୁରସ୍କାର, ‘ଭିକାରୀ’କୁ ଶ୍ରେଷ୍ଠ ଅଭିନେତା–ଅଭିନେତ୍ରୀ ସମ୍ମାନ

ଜୟପୁର ପୁଷ ପୁଣୀ ଚଳଚ୍ଚିତ୍ର ମହୋତ୍ସବ: ‘ସହସି ବାଲିକା’ ଓ ‘ଭିକାରୀ’ ଚଳଚ୍ଚିତ୍ରର ବାଜିମାତ

ଜୟପୁର : ଜୟପୁର ପୁଷ ପୁଣୀ ଚଳଚ୍ଚିତ୍ର ମହୋତ୍ସବ–୨୦୨୬ ଅବସରରେ ଆୟୋଜିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ‘ସହସି ବାଲିକା’ ଚଳଚ୍ଚିତ୍ର ବଡ଼ ସଫଳତା ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଚଳଚ୍ଚିତ୍ରଟି ମୋଟ ଚାରୋଟି ପ୍ରମୁଖ ବିଭାଗରେ ପୁରସ୍କାର ଜିତି ନିଜର ଶ୍ରେଷ୍ଠତା ପ୍ରତିପାଦିତ କରିଛି।
‘ସହସି ବାଲିକା’କୁ ୪ଟି ପ୍ରମୁଖ ପୁରସ୍କାର
ମହୋତ୍ସବରେ ପ୍ରଦର୍ଶିତ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟରୁ ‘ସହସି ବାଲିକା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ସ୍କ୍ରିପ୍ଟ, ଶ୍ରେଷ୍ଠ ଶିଶୁ କଳାକାର ଏବଂ ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ପୁରସ୍କୃତ କରାଯାଇଛି। ଏହି ବିପୁଳ ସଫଳତା ପାଇଁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାମନାଥ ତ୍ରିପାଠି ଆୟୋଜକ କମିଟି, ମହୋତ୍ସବର କର୍ମକର୍ତ୍ତା ଏବଂ ବିଶେଷ କରି ମନୋଜ ପାତ୍ର ଓ ଧୀରେନ ମୋହନ ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଛନ୍ତି।
‘ଭିକାରୀ’ ଚଳଚ୍ଚିତ୍ରର ଚମତ୍କାର ପ୍ରଦର୍ଶନ
ଅନ୍ୟପଟେ, ମହୋତ୍ସବରେ ପ୍ରଦର୍ଶିତ ଆଉ ଏକ ପ୍ରଭାବଶାଳୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଭିକାରୀ’ ଦର୍ଶକ ଓ ବିଚାରକଙ୍କ ଭରପୁର ପ୍ରଶଂସା ସାଉଁଟିଛି। ଏହି ଚଳଚ୍ଚିତ୍ରରେ ଉଚ୍ଚକୋଟୀର ଅଭିନୟ ପ୍ରଦର୍ଶନ କରି ଗୋପାଳକୃଷ୍ଣ ସାମନ୍ତରାୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାସଲ କରିଛନ୍ତି। ତାଙ୍କର ସ୍ୱାଭାବିକ ଅଭିନୟ ଜୁରି ସଦସ୍ୟମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସେହିପରି ଏହି ଚଳଚ୍ଚିତ୍ରର ଅନ୍ୟତମ କଳାକାର ବାସନ୍ତୀ ଜେନାଙ୍କୁ ତାଙ୍କର ମନଛୁଆଁ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।
ସଂସ୍କୃତିପ୍ରେମୀଙ୍କ ମହଲରେ ଖୁସିର ଲହର
ସମଗ୍ର ମହୋତ୍ସବରେ ‘ଭିକାରୀ’ ଏକ ସ୍ୱତନ୍ତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ଚଳଚ୍ଚିତ୍ର ଜଗତର ଏହି ଉଦୀୟମାନ କଳାକାର ଓ ନିର୍ଦ୍ଦେଶକମାନଙ୍କୁ ଆୟୋଜକଙ୍କ ସମେତ ଅଞ୍ଚଳର ସଂସ୍କୃତିପ୍ରେମୀ ଓ ବୁଦ୍ଧିଜୀବୀମାନେ ଅଭିନନ୍ଦନ ଜଣାଇଛନ୍ତି। ଜୟପୁରରେ ଆୟୋଜିତ ଏହି ଫିଲ୍ମ ଫେଷ୍ଟିଭାଲ୍ ସ୍ଥାନୀୟ କଳାକାରମାନଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ସୃଷ୍ଟି କରିଛି ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *