ବୋରିଗୁମ୍ମା, ୧୫/୦୧ : ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନ ଏବଂ ସ୍ୱଚ୍ଛତା ପରଖିବା ପାଇଁ ଆଜି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ସ୍ତରୀୟ ତିନି ଜଣିଆ ‘କାୟାକଳ୍ପ’ ଟିମ୍ ପହଞ୍ଚି ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରର ଆନୁସଙ୍ଗିକ ବ୍ୟବସ୍ଥା, ରୋଗୀଙ୍କୁ ମିଳୁଥିବା ସେବା ଏବଂ ପାରିବେଶିକ ସ୍ୱଚ୍ଛତା ଉପରେ ଏହି ଟିମ୍ ତନ୍ନତନ୍ନ କରି ତଦାରଖ କରିଥିବା ଜଣାପଡ଼ିଛି।
ବିଭିନ୍ନ ବିଭାଗ ପରିଦର୍ଶନ:
ଟିମ୍ର ସଦସ୍ୟମାନେ ମେଡିକାଲର ନିରାମୟ ଯୋଜନା, ନିଦାନ, ଅଣ-ସଂକ୍ରମିତ ରୋଗ ବିଭାଗ, ଯକ୍ଷ୍ମା ୟୁନିଟ୍, ସ୍ତ୍ରୀ ଓ ପ୍ରସୂତି ବିଭାଗ ବୁଲି ଦେଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା (Waste Management) ସ୍ଥିତି ପରଖିଥିଲେ। ଏଥିସହ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କୁ ସେବା ପ୍ରଦାନ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ।
ଟିମ୍ ସଦସ୍ୟ ଓ ଅଧିକାରୀ:
ଏହି ଉଚ୍ଚ ସ୍ତରୀୟ ଟିମ୍ରେ ରାଜ୍ୟ ଆଇ.ଡି.ଏସ୍.ପି (IDSP) ସେଲ୍ ମୁଖ୍ୟ ଡାକ୍ତର ସୁରଜିତ ଗରବାଡୁ, ବର୍ଜ୍ୟବସ୍ତୁ ପରିଚାଳନା ପରାମର୍ଶଦାତା ସୌମ୍ୟକାନ୍ତ ପାତ୍ର ଏବଂ ୟୁନିସେଫ୍ ପରାମର୍ଶଦାତା ଡାକ୍ତର ଅନିଲ କୁମାର ପଟ୍ଟନାୟକ ସାମିଲ ଥିଲେ।
ଏହି ପରିଦର୍ଶନ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ଶତପଥୀ, ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ପ୍ରବୀଣ କୁମାର ଦାଶ, ବି.ପି.ଏମ୍ ସସ୍ମିତା ତ୍ରିପାଠୀ, ଶିବ ପ୍ରସାଦ ନାୟକ, ଦମୟନ୍ତୀ ମୁଦୁଲି, ଶ୍ରୀନିବାସ ରାଓ, ବାଲେଶ୍ଵର ନାୟକ ଏବଂ ଗୋଲକ ବିହାରୀ ଚୌଧୂରୀ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟର ଆସିଷ୍ଟାଣ୍ଟ ମ୍ୟାନେଜର (କ୍ୱାଲିଟି ଏସୁରନ୍ସ) ପୂର୍ଣ୍ଣ ଚନ୍ଦ୍ର ଭୋଇ ଟିମ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରର ସାମଗ୍ରିକ ପରିବେଶ ଓ ସେବାକୁ ନେଇ ଟିମ୍ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି।
ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲା ରାଜ୍ୟ ସ୍ତରୀୟ ‘କାୟାକଳ୍ପ’ ଟିମ୍
