ଯୋଗ୍ୟ ଅପେକ୍ଷାରେ, ଅଯୋଗ୍ୟଙ୍କ ହାତରେ ଆବାସ: ରଣସପୁରରେ ଦେଖିବାକୁ ମିଳିଛି ସରକାରୀ ଯୋଜନାର ବିକଳ ଚିତ୍ର
ବୋରିଗୁମ୍ମା/ରଣସପୁର (ନିଜସ୍ୱ ପ୍ରତିନିଧି): “ଟଙ୍କା ନାହିଁ ତ ଛାତ ଘର ନାହିଁ।” ଏହି ଉକ୍ତିଟି ଏବେ ବୋରିଗୁମ୍ମା ବ୍ଲକ ରଣସପୁର ଗ୍ରାମ ପଞ୍ଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାର ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ପୂର୍ବରୁ ‘ଇନ୍ଦିରା ଆବାସ’ ଏବଂ ଏବେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ (PMAY) ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ, ରଣସପୁର ଗ୍ରାମରେ ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ଜଣେ ବୃଦ୍ଧ ବ୍ୟକ୍ତି ଓ ଜଣେ ସାମ୍ବାଦିକ ମଧ୍ୟ ବର୍ଷ ବର୍ଷ ଧରି ଆବାସ ଖଣ୍ଡିଏ ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୧୦ ବର୍ଷର ଅପେକ୍ଷା, ମିଳିଲାନି ସହାୟତା:
ରଣସପୁର ଗ୍ରାମର ଜଣେ ଅସହାୟ ବୃଦ୍ଧ ବ୍ୟକ୍ତି ଗତ ୧୦ ବର୍ଷ ହେବ ନିଜର ଏକ ଛାତ ଘର ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। ପୂର୍ବରୁ ଇନ୍ଦିରା ଆବାସ ପାଇଁ ଆବେଦନ କରି ବିଫଳ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ତାଙ୍କୁ ସାମିଲ କରାଯାଉ ନାହିଁ। ବୟସର ଅପରାହ୍ନରେ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ସୁରକ୍ଷିତ ଘର ପାଇଁ ସେ ବାରମ୍ବାର ଗୁହାରି କରି ଥକି ପଡ଼ିଲେଣି।
ସାମ୍ବାଦିକ ବି ସହାୟତା ପାଇବାରୁ ବଞ୍ଚିତ:
ଅନ୍ୟପଟେ ଜଣେ ସ୍ଥାନୀୟ ସାମ୍ବାଦିକ, ଯିଏକି ଅନ୍ୟର ସମସ୍ୟାକୁ ଲୋକଲୋଚନକୁ ଆଣନ୍ତି, ସେ ନିଜେ ମଧ୍ୟ ଗତ ୮ ବର୍ଷ ହେବ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି। ଯଦି ଜଣେ ସଚେତନ ବ୍ୟକ୍ତି ବା ସାମ୍ବାଦିକଙ୍କୁ ଯୋଜନା ମିଳିବାରେ ଏତେ ସମସ୍ୟା ହେଉଛି, ତେବେ ଜଣେ ସାଧାରଣ ନିରୀହ ଗରିବ ଲୋକର ଅବସ୍ଥା କ’ଣ ହେଉଥିବ, ତାହା ସହଜରେ ଅନୁମେୟ।
ଟଙ୍କା ପଛରେ ରହସ୍ୟ କ’ଣ?
ଅଭିଯୋଗ ହେଉଛି ଯେ, ଯେଉଁମାନଙ୍କର ପ୍ରତିପତ୍ତି ଅଛି କିମ୍ବା ଯେଉଁମାନେ ଟଙ୍କା ଖର୍ଚ୍ଚ କରିପାରୁଛନ୍ତି, ସେମାନଙ୍କ ପାଇଁ ସରକାରୀ ଯୋଜନା ସାତପୁଆ। କିନ୍ତୁ ପ୍ରକୃତ ଗରିବ ଲୋକଟିଏ ଟଙ୍କା ଦେଇ ନପାରିବାରୁ ତାଙ୍କ ତାଲିକା କାଟି ଦିଆଯାଉଛି। ଟଙ୍କା ଥିବା ଲୋକ ପାଉଛନ୍ତି ପଲଙ୍କ, ଆଉ ଗରିବ ଖୋଜୁଛି ଖଣ୍ଡେ ପଲିଥିନ। ଏହା ପଛରେ କେଉଁ ଅଦୃଶ୍ୟ ଶକ୍ତି ବା ରହସ୍ୟ ରହିଛି, ତାହା ଏବେ ଗ୍ରାମବାସୀଙ୍କ ମଧ୍ୟରେ ମୁଖ୍ୟ ଆଲୋଚନାର ବିଷୟ।
