ପୋଲିସ୍ ପଞ୍ଜାରେ ୩ ଜଣ ଲୁଟେରା ଗିରଫ୍ : ନଗଦ ୪୪୦୦ ଟଙ୍କା ୨ ବାଇକ୍ ଓ ମାରଣାସ୍ତ୍ର ଜବତ ।

ମୁନିଗୁଡ଼ା : ତା ୨୨/୨:- ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଡାକୁଲୁଗୁଡ଼ା ଛକ ନିକଟରୁ ଜଣେ ବ୍ୟକ୍ତିଙ୍କୁ ଭୟଭୀତ କରି ଲୁଟ୍ କରିବା ଅଭିଯୋଗରେ ପୋଲିସ୍ ୩ ଜଣ ଦୁର୍ଦ୍ଦାନ୍ତ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ପଲସର ବାଇକ୍, ମାରଣାସ୍ତ୍ର, ନଗଦ ଟଙ୍କା ଓ ଲୁଟ୍ ହୋଇଥିବା ରୁପା ଗହଣା ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଗତ ୨୦ ତାରିଖ ସକାଳ ପ୍ରାୟ ୯ଟା ସମୟରେ ମୁନିଗୁଡ଼ା ଥାନା ଖମଣା ସାହିର ଭଗବାନ ନାୟକ ଡାକୁଲୁଗୁଡ଼ା ଛକ ଦେଇ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ମାରଣାସ୍ତ୍ର ଦେଖାଇ ଭଗବାନଙ୍କୁ ଭୟଭୀତ କରିବା ସହ ତାଙ୍କ ନିକଟରୁ ଟଙ୍କା, ଗହଣା ଓ ଆଧାର କାର୍ଡ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ଅଭିଯୋଗ ପାଇବା ପରେ ମୁନିଗୁଡ଼ା ପୋଲିସ୍ କେସ୍ ନମ୍ବର ୫୨/୨୦୨୬ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ.ଆଇ. ଅଶ୍ୱିନୀ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୁଟେରାଙ୍କୁ କାବୁ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସୁମେନ ପ୍ରଧାନ (୩୮), ଅଜୟ ପ୍ରଧାନ (୪୦) ଏବଂ ଶିବା ପ୍ରଧାନ (୩୨)। ସେମାନଙ୍କ ନିକଟରୁ ୪,୪୦୦ ଟଙ୍କା, ୧୪ଟି ରୁପା ମୁଦି, ୫ଟି ରୁପା ମାଳି, ସହ ୧୪ ଟି ହାତ ଖଡ଼ୁ ଓ ୨ଟି ଛୁରୀ ଏବଂ ଦୁଇଟି ପଲସର ମୋଟରସାଇକେଲ (OD34E-8708 ଓ OD06J-8411) ଜବତ ହୋଇଛି।
ଏହି ଲୁଟେରା ଗ୍ୟାଙ୍ଗ୍ ଅନ୍ୟ କୌଣସି ବଡ଼ ଧରଣର ଅପରାଧରେ ସାମିଲ ଅଛନ୍ତି କି ନାହିଁ, ସେ ନେଇ ପୋଲିସ୍ ଅଧିକ ପଚରାଉଚରା କରୁଛି। ଘଟଣା ସମ୍ପର୍କରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାପାଇଁ ତଦନ୍ତ ଜାରୀ ରହିଥିବା ବିଷମକଟକ ଏସ ,ଡି ,ପିଓ ,ସନ୍ତୋଷିନୀ ଓରାମ୍, ସୂଚନା ଦେଇଛନ୍ତି। ଏଥିସହ ମୁନିଗୁଡ଼ା ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ ,ଏସ୍ ଆଇ ମନୋରଞ୍ଜନ ବିଶ୍ଵାଳ, ଏସ୍ ଆଇ ଅସ୍ପିନୀ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ।
