ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍‌ର ପର୍ଦ୍ଦାଫାଶ: ନବରଙ୍ଗପୁରରୁ ଔଷଧ ଦୋକାନୀ ଗିରଫ, ୧୧ ଲକ୍ଷରୁ ଅଧିକ ଟଙ୍କାର ନିଷିଦ୍ଧ କ୍ୟାପସୁଲ ଜବତ

ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍‌ର ପର୍ଦ୍ଦାଫାଶ: ନବରଙ୍ଗପୁରରୁ ଔଷଧ ଦୋକାନୀ ଗିରଫ, ୧୧ ଲକ୍ଷରୁ ଅଧିକ ଟଙ୍କାର ନିଷିଦ୍ଧ କ୍ୟାପସୁଲ ଜବତ
ନବରଙ୍ଗପୁର:
ଆନ୍ତଃରାଜ୍ୟ ବେଆଇନ ଡ୍ରଗ୍ସ କାରବାର ଉପରେ ଛତିଶଗଡ଼ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ନବରଙ୍ଗପୁର ସହରରେ ଚଢ଼ାଉ କରି ଜଣେ ପ୍ରତିଷ୍ଠିତ ଔଷଧ ଦୋକାନୀଙ୍କୁ ଗିରଫ କରିଛି ବସ୍ତର ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ନବରଙ୍ଗପୁର ସହର ଜେଇଏଲସି କମ୍ପ୍ଲେକ୍ସରେ ଥିବା ‘ଶ୍ରୀ ଲକ୍ଷ୍ମଣା ମେଡିକାଲ ଷ୍ଟୋର’ର ମାଲିକ ଉନ୍ନା ରାମକୃଷ୍ଣ।
୧୨ଟି ବକ୍ସରୁ ମିଳିଲା ୨ ହଜାରରୁ ଅଧିକ ନିଷିଦ୍ଧ କ୍ୟାପସୁଲ
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଦୋକାନ ପଛପଟେ ଥିବା ଏକ ଗୋଦାମ ସଦୃଶ ଘରୁ ୧୨ଟି ବଡ଼ ବକ୍ସରେ ରଖାଯାଇଥିବା ପ୍ରାୟ ୨,୮୪୮ଟି ଟ୍ରମାଡୋଲ (Tramadol) କ୍ୟାପସୁଲ ଜବତ କରାଯାଇଛି। ଜବତ ହୋଇଥିବା ଏହି ନିଷିଦ୍ଧ ଔଷଧର ବଜାର ମୂଲ୍ୟ ପ୍ରାୟ ୧୧ ଲକ୍ଷ ୩୯ ହଜାର ୨୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଛତିଶଗଡ଼ରୁ ଲମ୍ବିଥିଲା ତଦନ୍ତର ଚେର
ଛତିଶଗଡ଼ ବସ୍ତରର ବୋଧଘାଟ ଥାନା ପୋଲିସ ଏକ ମାମଲାର ତଦନ୍ତ କରୁଥିବା ବେଳେ ଏହି ବେଆଇନ କାରବାରର ଚେର ନବରଙ୍ଗପୁର ପର୍ଯ୍ୟନ୍ତ ଲମ୍ବିଥିବା ଜାଣିବାକୁ ପାଇଥିଲା। ଶୁକ୍ରବାର ବୋଧଘାଟ ପୋଲିସ ଇନ୍ସପେକ୍ଟର ଲୀଳାଧର ରାଠୋର ଏକ ଟିମ୍ ସହ ନବରଙ୍ଗପୁରରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ଉକ୍ତ ମେଡିକାଲ ଷ୍ଟୋରରେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବିପୁଳ ପରିମାଣର ନିଷିଦ୍ଧ କ୍ୟାପସୁଲ ମିଳିବା ପରେ ପୋଲିସ ଉନ୍ନା ରାମକୃଷ୍ଣଙ୍କୁ ଗିରଫ କରିଥିଲା।
ଏନଡିପିଏସ (NDPS) ଆକ୍ଟରେ ମାମଲା ରୁଜୁ
ଅଭିଯୁକ୍ତଙ୍କ ବିରୋଧରେ ବୋଧଘାଟ ପୋଲିସ ଏନଡିପିଏସ ଧାରା ଅନୁସାରେ ଏକ ସଂଗୀନ ମାମଲା ରୁଜୁ କରିଛି। ଉନ୍ନା ରାମକୃଷ୍ଣ ଦୀର୍ଘ ଦିନ ଧରି ଏହି ବେଆଇନ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିଲେ ଏବଂ ଓଡ଼ିଶାରୁ ଛତିଶଗଡ଼କୁ ଏହି ନିଷିଦ୍ଧ ଔଷଧ ଚୋରା ଚାଲାଣ ହେଉଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଛି। ଏହି ରାକେଟ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି।

Leave a Reply

Your email address will not be published. Required fields are marked *