ଲକ୍ଷ୍ମୀପୁରଠାରେ ଓୟୁଜେ (OUJ) କୋରାପୁଟ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଲକ୍ଷ୍ମୀପୁର, ୧୯/୦୪ (ନିଜସ୍ୱ ପ୍ରତିନିଧି):
ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (OUJ) କୋରାପୁଟ ଜିଲ୍ଲା ଶାଖାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ଲକ୍ଷ୍ମୀପୁର ବ୍ଳକର ବାସନ୍ତୀ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶଶଧର ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଆନ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କୁ ‘ସମାଜର ଜାଗ୍ରତ ପ୍ରହରୀ’ ଭାବେ ଅଭିହିତ କରିଛନ୍ତି।
ସାମ୍ବାଦିକଙ୍କ ଲଢ଼େଇରେ ସାଥୀ ହେବେ ବିଧାୟକ:
ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ସାଆନ୍ତା କହିଥିଲେ ଯେ, ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ପ୍ରତି ମୁହୂର୍ତ୍ତର ଖବରକୁ ଲୋକଲୋଚନକୁ ଆଣୁଛନ୍ତି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଏହି ବନ୍ଧୁମାନଙ୍କ ସୁଖ-ଦୁଃଖରେ ସେ ସବୁବେଳେ ସାଥୀ ହୋଇ ରହିବେ। ଓୟୁଜେ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା, ପେନସନ ଏବଂ ଆକ୍ରିଡେସନ ସମ୍ବନ୍ଧୀୟ ଦାବି ଉପରେ ସେ କହିଥିଲେ ଯେ, ବର୍ତ୍ତମାନର ସରକାର ବିରୋଧୀ ଦଳରେ ଥିବା ବେଳେ ଏହି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ପୂରଣ ହୋଇନାହିଁ। ଏହି ନ୍ୟାର୍ଯ୍ୟ ଲଢ଼େଇରେ ସେ ସାମ୍ବାଦିକମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅତିଥି ଓ ଆଲୋଚନା:
ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି କୈଳାସ ଖୋସଲା ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓୟୁଜେ ରାଜ୍ୟ ଉପସଭାପତି ପରିକ୍ଷିତ ବିଶ୍ଵାଳ, ରାଜ୍ୟ ସମ୍ପାଦକ ତଥା ମାଲକାନଗିରି ଜିଲ୍ଲା ସଭାପତି ଦେବ ପ୍ରସାଦ ଦାସ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲିପ କୁମାର ମହାନ୍ତି ଏବଂ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ମଞ୍ଚାସୀନ ଥିଲେ।
ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା:
ବୈଠକଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସାଙ୍ଗଠନିକ ସୁଦୃଢ଼ୀକରଣ ଉପରେ ଆଲୋଚନା ହୋଇଥିବା ବେଳେ ଉପଦେଷ୍ଠା ଭବାନୀ ଶଙ୍କର ମିଶ୍ର ଓ ଆଇନ ପରାମର୍ଶଦାତା ବାଲା ରାୟ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ କର୍ମକର୍ତ୍ତାଙ୍କ ସହ କୋରାପୁଟ ଜିଲ୍ଲାର ପଟାଙ୍ଗି, ସେମିଳିଗୁଡା, ଜୟପୁର, ସୁନାବେଡ଼ା ଆଦି ବିଭିନ୍ନ ବ୍ଲକରୁ ଆସିଥିବା ବୈଦୁତିକ ଓ ପ୍ରିଣ୍ଟ ମିଡିଆର ପ୍ରତିନିଧିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସହ ସମ୍ପାଦକ ଶରତ କୁମାର ଧଳ ଏବଂ ଶୃଙ୍ଖଳା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଗୌଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ଯୁଧିଷ୍ଠିର ବାଘ, ପ୍ରମୋଦ କୁମାର ଜେନା ଓ ସୌମ୍ୟ ରଞ୍ଜନ ସାହୁ ବୈଠକ ଆୟୋଜନରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଯୁଧିଷ୍ଠିର ବାଘଙ୍କୁ ଜିଲ୍ଲା ଯୁଗ୍ମ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା। ଏହି ବୈଠକରେ ଜିଲ୍ଲା କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଟି. ଗୋରୀ ଶଙ୍କର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଷାର କାନ୍ତ ମହାନ୍ତିଙ୍କ ସମେତ ବହୁ ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ।
ସାମ୍ବାଦିକମାନେ ହେଉଛନ୍ତି ସମାଜର ଜାଗ୍ରତ ପ୍ରହରୀ: ବିଧାୟକ ପବିତ୍ର ସାଆନ୍ତା
