





କୋରାପୁଟ :
କୋରାପୁଟ ସ୍ଥାନୀୟ ସଦଭାବନା ସଭା ଗୃହଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ପଞ୍ଚାୟତ ସ୍ତରୀୟ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଅଭିନବ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ସମାରୋହରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଯୋଗଦେଇ କହିଥିଲେ ଯେ, ପ୍ରତି ପଞ୍ଚାୟତକୁ ଆର୍ଥିକ ଭାବରେ ସୁଦୃଢ଼ କରିବା ଆମର ମୂଳ ଲକ୍ଷ୍ୟ ହେବା ଉଚିତ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ସଭାପତିତ୍ୱ କରିବା ସହ ଜନପ୍ରତିନିଧିମାନେ ବ୍ୟକ୍ତି ସ୍ୱାର୍ଥ ତ୍ୟାଗ କରି ଜନସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ପଞ୍ଚାୟତିରାଜ ବ୍ୟବସ୍ଥାର ତାତ୍ପର୍ଯ୍ୟ ବୁଝାଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ଓ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ଯୋଗଦେଇଥିଲେ।
ଏହି ଅବସରରେ ଗ୍ରାମୀଣ ଆବାସ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କେନ୍ଦାର ପଞ୍ଚାୟତ ଏବଂ ମନରେଗା ଯୋଜନାର ସଫଳ ରୂପାୟନ ପାଇଁ ବଡ଼ଶୁକୁ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା। ଏଥିସହ ଅନ୍ତୋଦ୍ୱୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ଚେକ୍ ପ୍ରଦାନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଏସଡିଆଇପିଆରଓ ସୁଶ୍ରୀ ରାଧା ରାଣୀ ସରକାର ପରିଚାଳନା କରିଥିଲେ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀ ଯୁଗଳ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
